ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ । ଫଳରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ । ଏହାଦ୍ୱାରା ସେମାନଙ୍କ ସମ୍ପତ୍ତିର ଗୁଣବତ୍ତା ବୃଦ୍ଧି ପାଇବ । ସମବାୟ ବ୍ୟାଙ୍କଗୁଡ଼ିକର ଦୀର୍ଘ ଦିନର ଦାବିକୁ ଏହି ପଦକ୍ଷେପ ଦ୍ୱାରା ସମାଧାନ କରାଯାଇଛି । ଏହି ମଡେଲ ଯୋଜନା ଦ୍ଵାରା ବ୍ୟାଙ୍କଗୁଡ଼ିକ ସେମାନଙ୍କର ଆର୍ଥିକ ଆବଶ୍ୟକତା ଅନୁଯାୟୀ ପରିଚାଳନା କମିଟିର ଅନୁମୋଦନ କ୍ରମେ ସହ ବଦଳାଇ କାର୍ଯ୍ୟକାରୀ କରିପାରିବେ ।