ଷୋଡଶ ଅର୍ଥ କମିଶନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
କେନ୍ଦ୍ରର ଟିକସ ଆୟରୁ ରାଜ୍ୟର ଭାଗ ୪୧% ରୁ ୫୦%କୁ ବୃଦ୍ଧି ପ୍ରସ୍ତାବ
ଓଡ଼ିଶାର ଭାଗ ୪.୫୨୮% ରୁ ୪.୯୬୪% କରିବାକୁ ପ୍ରସ୍ତାବ
ଏଡିଆରଏଫ ବାବଦ ଅନୁଦାନ ଶତ ପ୍ରତିଶତ କେନ୍ଦ୍ର ବହନ ପାଇଁ ଦାବି
ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଶା ନିମନ୍ତେ ପାଞ୍ଚ ବର୍ଷ ପାଇଁ ୧୨,୫୯,୧୪୮ କୋଟି ଅର୍ଥ କମିଶନଙ୍କ ଦାବି କରିଛନ୍ତି । ୨୦୨୬ରୁ ୨୦୩୧ ବର୍ଷ ପାଇଁ ପାଣ୍ଠି ଦାବି କରାଯାଇଛି । ଫେବୃଆରୀ୬ରେ ଷୋଡଶ ଅର୍ଥ କମିଶନଙ୍କ ସହିତ ଆଲୋଚନା ସମୟରେ ଏହି ଦାବି ଉପସ୍ଥାପନ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ଭରଣା ପାଇଁ ୯,୮୮,୪୨୨ କୋଟି ଟଙ୍କା, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ୧,୧୦,୪୩୪ କୋଟି ଟଙ୍କା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡି ମାନଙ୍କ ପାଇଁ ଅନୁଦାନ ବାବଦରେ ୧,୦୦,୦୩୬ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୧,୦୦୪ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨୯,୨୫୨ କୋଟି ଟଙ୍କା ଦାବି ରଖା ଯାଇଛି ।
ସେହିଭଳି କେନ୍ଦ୍ର ସରକାରଙ୍କ ଟିକସ ଆୟର ୪୧% ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ତାହାକୁ ୪୧%ରୁ ୫୦%କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ଟିକସ ଆୟର ଯେଉଁ ଅଂଶ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଏ, ତାହା ରାଜ୍ୟମାନଙ୍କ ମଧ୍ୟରେ ଏକ ନିର୍ଦ୍ଧାରିତ ସୂତ୍ର ଆଧାରରେ ବଣ୍ଟାଯାଏ । ଏଥିରୁ ଓଡ଼ିଶା ୪.୫୨୮% ଭାଗ ପାଉଥିବା ବେଳେ ତାହାକୁ ୪.୯୬୪%କୁ ବୃଦ୍ଧି କରିବା ଲାଗି ମଧ୍ୟ ଦାବି କରାଯାଇଛି ।ଷୋଡଷ ଅର୍ଥ କମିଶନ, ୨୦୨୬-୩୧ ଅବଧି ପାଇଁ, କେନ୍ଦ୍ର ଦ୍ଵାରା ଆକଳନ କରାଯାଇଥିବା ମୋଟ୍ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ପାଇଁ ଅନୁଦାନ ଦେବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଓଡ଼ିଶା ଗ୍ରାମୀଣ ଓ ସହରୀ ସ୍ଥାନୀୟ ନିକାୟ ସଂସ୍ଥାମାନେ କେନ୍ଦ୍ର ସରକାର ଠାରୁ ଅଧିକ ଆର୍ଥିକ ଅନୁଦାନ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏତଦ୍ଭିନ୍ନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏଡିଆରଏଫ) ପାଇଁ ଦିଆଯାଉଥିବା ବାର୍ଷିକ ଅନୁଦାନର ୭୫% କେନ୍ଦ୍ର ସରକାର ବହନ କରେ ଓ ଅବଶିଷ୍ଟ ୨୫% ରାଜ୍ୟ ସରକାର ବହନ କରିଥାଏ । ଏହାକୁ କେନ୍ଦ୍ର ସରକାର ଶତପ୍ରତିଶତ ବହନ କରୁ ବୋଲି ମଧ୍ୟ ଦାବି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।