୯ଟି ବିଭାଗ ପାଇଁ ନୂତନ ନିଯୁକ୍ତି
୭ ମାସରେ ୨୬ ହଜାରରୁ ଅଧିକ ସରକାରୀ ନିଯୁକ୍ତି
ସରକାରୀ ଚାକିରି କେବଳଜୀବିକା ନୁହେଁ, ଜନସେବାର ଏକ ମାଧ୍ୟମ : ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀନିଜ କରକମଳରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି । ତେବେ ସରକାରୀ ଚାକିରି କେବଳ ଏକ ଜୀବନ ଜୀବିକାର ସାଧନ ନୁହେଁ , ବରଂ ଏହା ଜନସେବାର ଏକ ମାଧ୍ୟମ । ଆଜି ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡିଆଠାରେ ଆୟୋଜିତ ଏହି ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିବା ସହିତ ନବନିଯୁକ୍ତମାନଙ୍କ ଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ତୃଣମୂଳ ସ୍ତରରେ ଯୋଜନା ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ନବନିଯୁକ୍ୟିତ ମାନଙ୍କ କାନ୍ଧରେ ନ୍ୟସ୍ତ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୭ ମାସ ମଧ୍ୟରେ ଆମେ ୬ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୦ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ । ଆଜି ଏହି ନିଯୁକ୍ତି ମେଳାରେ ୯ ଟି ବିଭାଗର ପ୍ରାୟ ୬,୩୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୭ଟି ନିଯୁକ୍ତି ମେଳାରେ ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି । ଆମ ସରକାରର ପ୍ରଥମ ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ ।
ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କାଲି, ବିଶେଷ ଭାବେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବହୁତ କମ୍ । ଉଦାହରଣ ସ୍ୱରୂପ, ପ୍ରତିରକ୍ଷାକୁ ମିଶେଇ କେନ୍ଦ୍ର ସରକାରରେ ପ୍ରାୟ ୩୫ ଲକ୍ଷ ଲୋକ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି । ଖାଲିଥିବା ପଦ ପଦବୀକୁ ସାମିଲ କଲେ ମଧ୍ୟ ସର୍ବାଧିକ ସାଢ଼େ ଚାରି ଲକ୍ଷ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଅର୍ଥାତ, ରାଜ୍ୟ ଜନସଂଖ୍ୟାର ଏକ ପ୍ରତିଶତରୁ ବି କମ୍ ଲୋକ, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାଆନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଏବେ ବିକାଶର ନୂତନ ସୂର୍ଯ୍ୟ ଉଦୟ ହୋଇଛି । ଦେଶ ନିର୍ମାଣ ଯଜ୍ଞରେ ଆପଣମାନେ ଆଜିଠାରୁ ସାମିଲ ହୋଇଛନ୍ତି ।
ସେ ପୁଣି କହିଲେ ଯେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ । ଏହାକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ କରାଯାଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତେ ନିଜ ନିଜ ବିଭାଗରେ ଖାଲିଥିବା ପଦକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାର ବିକାଶର ଲକ୍ଷ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ କରିବାର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଆମ ସରକାର ସବୁକ୍ଷେତ୍ର ସହିତ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଉଛି । କେବଳ ସରକାରୀ କ୍ଷେତ୍ରରେ ଏହି ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟରେ ଶିଳ୍ପାୟନର ଏକ ନୂଆ ଯୁଗର ଆରମ୍ଭ କରି ବେସରକାରୀ କ୍ଷେତ୍ରରେ ନିଯୁକ୍ତିର ବିପ୍ଳବ ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ୨୦୨୫ ରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ଆସିଛି । ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି । ଆଗାମୀ ୫ ବର୍ଷ ଆମ ଯୁବଶକ୍ତି ପାଇଁ ବିପୁଳ ସମ୍ଭାବନାର ସମୟ ହେବ ବୋଲି ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି ।
ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଶାସନ ପ୍ରଶାସନ ଉପରେ ଗୁରୁତ୍ଵାରୋପ କରୁଛନ୍ତି । ଦୁର୍ନୀତି ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ଅଭିଯାନ ଜାରି ରହିବ । ଏଥିପାଇଁ ସମସ୍ତେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଆଜି ସ୍ୱାସ୍ଥ୍ୟ ବିଭାଗରେ ୨ ହଜାର ୭୫୩ ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୧୨୫ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ପରିଷଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦରେ ୭୫ ଜଣ କନିଷ୍ଠ ସହାୟକ - ଏହିପରି ସମୁଦାୟ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଏବଂ ୨୦ ଜଣ ସହାୟକ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଜଳସମ୍ପଦ ବିଭାଗରେ କ୍ଷେତ୍ରରେ ୫୭ ଜଣ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୬୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ଜଣ, ଅର୍ଥ ବିଭାଗ ଅନ୍ତର୍ଭୁକ୍ତ ଲୋକାଲ୍ ଫଣ୍ଡ ଅଡିଟ୍ର ୧୩୦ ଜଣ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୦୪ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩ ଜଣ ସହାୟକ ତାଲିମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ତଥା ସାଧରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓ ରାଜ୍ୟ ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।
ଇତ୍ୟବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ.ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ ।