କ୍ଷମତାକୁ ଫେରିବା ପରେ ବିଜେପିର ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆମ ଆଦମୀ ପାର୍ଟି ବା ଆପ୍ର ଅଡୁଆ ବଢିଛି। ଅବକାରୀ ଦୁର୍ନୀତି କାରଣରୁ ନିର୍ବାଚନୀ ଯୁଦ୍ଧ ହାରିଥିବା ଆପ୍ର ଗୁମର ଏବେ ଖୋଲିବାର ସମ୍ଭାବନା ସଷ୍ଟ ହୋଇଛି। ଏମିତିରେ ବିଦାୟୀ ଆପ୍ ସରକାର ଯେଭଳି ଦୁର୍ନୀତି ସମ୍ବନ୍ଧୀୟ କୌଣସି ଫାଇଲ ଅଥବା ହାର୍ଡଓ୍ବେର ଗାୟବ ନ କରନ୍ତି, ସେଥି ନେଇ ଆକ୍ସନ ମୋଡରେ ଆସିଛି ଦିଲ୍ଲୀ ଅମଲାତନ୍ତ୍ର। ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କ୍ରମେ ଦିଲ୍ଲୀ ସଚିବାଳୟକୁ ସିଲ୍ କରିଦିଆଯାଇଥିବା ଜଣାପଡିଛି। ଦିଲ୍ଲୀ ସରକାରଙ୍କ ଯୁଗ୍ମ ସଚିବ ପ୍ରଦୀପ ଦୟାଲଙ୍କ ନିର୍ଦ୍ଦେଶ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାଦ୍ବାରା କୌଣସି ଫାଇଲ ଅଥବା ହାର୍ଡଓ୍ବେର ଯେଭଳି ସଚିବାଳୟରୁ ଗାୟବ କରାଯାଇ ପାରିବ ନାହିଁ। ତେବେ ଦିଲ୍ଲୀର ବିଭିନ୍ନ ମନ୍ତ୍ରାଳୟକୁ ମଧ୍ୟ ସିଲ୍ ନିର୍ଦ୍ଦେଶ ଥିବା ଜଣାପଡିଛି। ତେବେ ବିଜେପି ସରକାର ଗଠନ କରିବା ପରେ ପ୍ରଥମ ପଦକ୍ଷେପ ସ୍ବରୂପ ଅବକାରୀ ଦୁର୍ନୀତିକୁ ନେଇ ଆପ୍ ନେତାଙ୍କୁ ଘେରିବ। ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରି ଏହି ଦୁର୍ନୀତି ମାମଲାର ତଦନ୍ତ କରାଯିବ ବୋଲି କୁହାଯାଉଛି।