ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବା ସକାଶେ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଆମେରିକା ଓ ଋଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଆଜି ଉଭୟ ଆମେରିକା ଓ ଋଷ ପକ୍ଷରୁ ନିଜନିଜର ଟିମ୍ ନିଯୁକ୍ତ କରାଯାଇଛି। ସୌଦୀ ଆରବର ରିୟାଧଠାରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ଋଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି। ଏକ ସ୍ଥାୟୀ, ମଜବୁତ ଏବଂ ସବୁ ପକ୍ଷ ଦ୍ବାରା ସ୍ବୀକାରଯୋଗ୍ୟ ପ୍ରକ୍ରିୟା ମାଧ୍ୟମରେ ଏହି ଯୁଦ୍ଧବିରତି ଯଥାଶୀଘ୍ର କରାଇବା ନେଇ ନବନିଯୁକ୍ତ ଟିମ୍ କାର୍ଯ୍ୟ କରିବ ବୋଲି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ଟାମି ବ୍ରୁସ୍ ସୂଚନା ଦେଇଛନ୍ତି।
ତେବେ ଆଜିର ଏହି ବୈଠକରେ ଯଦିଓ ସାଉଦୀ ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଉପସ୍ଥିତ ନ ଥିଲେ, ତଥାପି ଏ ନେଇ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। କାରଣ ତିନି ବର୍ଷର ଯୁଦ୍ଧରେ ଯବନିକା ପଡିବାକୁ ଯାଉଥିବା ବେଳେ ଏହି ଐତିହାସିକ ପ୍ରକ୍ରିୟାର ପୃଷ୍ଠଭୂମି ସାଉଦୀ ଆରବ ପାଲଟିଛି। ଦି ୟୁକ୍ରେନ ଯୁଦ୍ଧକୁ ନେଇ ରିୟା ପ୍ୟାଲେସଠାରେ ଆମରିକା ଓ ଋଷ ମଧ୍ୟରେ ଏହି ପ୍ରଥମ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିବାରୁ ସଲମାନଙ୍କୁ ବିଶ୍ବସ୍ତରରେ ଶ୍ରେୟ ଦିଆଯାଉଛି। ଏହି ବୈଠକରେ ଉଭୟ ପକ୍ଷ ଦ୍ବିପାକ୍ଷିକ ସମସ୍ୟାର ସମାଧାନ ଉପରେ ମଧ୍ୟ ଆଲୋଚନା କରିଥିଲେ।
ଅପ୍ୟପଟେ ଆମେରିକା ଜାତୀୟ ନିରାପତ୍ତା ପରାମର୍ଶଦାତା ମାଇକ୍ ଓ୍ବାଲଜ ଏବଂ ଆମେରିକା ପ୍ରତିନିଧି ଷ୍ଟିଭ୍ ଓ୍ବିଟକୋଫ ସାଢେ ୪ ଘଣ୍ଟା ଧରି ଋଷ ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହିତ ଆଲୋଚନା କରିଥିଲେ। ଗତ ସପ୍ତାହରେ ଟ୍ରମ୍ପ ଓ ପୁଟିନ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବା ପରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।