ଲକ୍ଷ୍ନୌ : ‘ପ୍ରୟାଗରାଜରେ ଚାଲିଥିବା ମହିମାମୟ ମହାକୁମ୍ଭ ମେଳାର ଗରିମା କ୍ଷୁଣ୍ଣ କରିବାକୁ କେବଳ ମିଥ୍ୟା ପ୍ରଚାର କରାଯାଉଛି। ସନାତନ ଧର୍ମ ସମ୍ବନ୍ଧରେ ଭିତ୍ତିହୀନ ଅଭିଯୋଗ ଅଣାଯିବା ସହିତ ମିଥ୍ୟା ଭିଡିଓ ପ୍ରସାର କରାଯାଉଛି।’ ମହାକୁମ୍ଭକୁ ନେଇ ବିପକ୍ଷର ବାରମ୍ବାର ବିବାଦୀୟ ବୟାନ ଉପରେ କ୍ଷୋଭ ପ୍ରକାଶ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବୁଧବାର ବିଧାନସଭାରେ ଏହା କହିଛନ୍ତି। ଏଥିସହ ସଙ୍ଗମ ଜଳ ସମ୍ବନ୍ଧରେ ମିଥ୍ୟା ପ୍ରଚାର କରାଯାଇଥିବା େବଳେ ଏହା ସମ୍ପୂର୍ଣ୍ଣ ସ୍ନାନଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଦର୍ଶାଇଛନ୍ତି। ଅନ୍ୟପଟେ ସଙ୍ଗମ ଜଳ ସ୍ନାନ ଯୋଗ୍ୟ ବୋଲି ଯୋଗୀଙ୍କ ଏହି ଦାବିକୁ ବଳ ଯୋଗାଇଛି ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ଙ୍କ ତଦନ୍ତ ରିପୋର୍ଟ। ମହାକୁମ୍ଭ ସମୟରେ ଗଙ୍ଗା ଜଳର ଗୁଣବତ୍ତାକୁ ନେଇ ପ୍ରକାଶିତ ରିପୋର୍ଟରେ ସବିଶେଷ ତଥ୍ୟର ଅଭାବ ରହିଛି ବୋଲି ଏନଜିଟି ଏହାର ରିପୋର୍ଟରେ ଦର୍ଶାଇଛି।
ସୂଚନା ଯୋଗ୍ୟ ଯେ, ଫେକାଲ କଲିଫର୍ମ ନାମକ ଏକ ବ୍ୟାକ୍ଟେରିଆର ଉପସ୍ଥିତି ଦୃଷ୍ଟିରୁ ପ୍ରୟାଗରାଜର ବିଭିନ୍ନ ସ୍ଥାନରେ ଜଳ ଆଉ ସ୍ନାନଯୋଗ୍ୟ ହୋଇ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଏନଜିଟିକୁ ରିପୋର୍ଟ ପ୍ରଦାନ କରିଥିଲା। ଏହା ଉପରେ ମତ ରଖି ବିଧାନସଭାରେ ଯୋଗୀ କହିଛନ୍ତି ଯେ, ୫୬.୨୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି। ମହାକୁମ୍ଭ ମେଳାର ପରିସମାପ୍ତିକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଆଗାମୀ ଦିନରେ ଆହୁରି କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବେ। ମାତ୍ର ସନାତନ ଧର୍ମ, ମା’ ଗଙ୍ଗା, ଭାରତ ଏବଂ ମହାକୁମ୍ଭ ବିରୋଧରେ ଭିତ୍ତିହୀନ ଅଭିଯୋଗ ଉଠାଇବା ତଥା ମିଥ୍ୟା ଭିଡିଓ ଜାରି କରି ୫୬ କୋଟି ଲୋକଙ୍କ ଆସ୍ଥା ଓ ବିଶ୍ବାସ ସହିତ କେବଳ ଖେଳ ଖେଳାଯାଉଛି। ମହାକୁମ୍ଭ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏ ସମାଜର କାର୍ଯ୍ୟକ୍ରମ। ସରକାର ସେବକ ଭାବେ ଏହାର ଦାୟିତ୍ବ ତୁଲାଇବାକୁ ତତ୍ପର ଅଛନ୍ତି।
ଜାନୁଆରୀ ୨୯ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ଯୋଗୀ ବିଧାନସଭାରେ ସମବେଦନା ଜଣାଇଛନ୍ତି। ମହାକୁମ୍ଭ ବିରୋଧୀ ମନ୍ତବ୍ୟ ପାଇଁ ବିଶେଷକରି ସମାଜବାଦୀ ପାର୍ଟି(ଏସପି) ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ବିପକ୍ଷର ବହୁ ନେତାଙ୍କୁ ସେ କଡ଼ା କଣ୍ଠରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରାରମ୍ଭରୁ ହିଁ ବିପକ୍ଷ ମହାକୁମ୍ଭକୁ ବିରୋଧ କରିଆସିଛି। ମହାକୁମ୍ଭ ପାଇଁ ଅର୍ଥ ବ୍ୟୟ କରିବାର ଆବଶ୍ୟକତା ଉପରେ ଏସପି ମୁଖ୍ୟ ପ୍ରଶ୍ନ ଉଠାଇଥିଲେ। ଏସପିର ସାମାଜିକ ଗଣମାଧ୍ୟମରେ ମହାକୁମ୍ଭକୁ ନେଇ ଯେଭଳି ଭାଷା ବ୍ୟବହାର କରାଯାଇଛି ତାହା କୌଣସି ସଭ୍ୟ ସମାଜ ବ୍ୟବହାର କରେ ନାହିଁ। ସେହିଭଳି ଲାଲୁ ଯାଦବ ମହାକୁମ୍ଭକୁ ‘ଫାଲତୁ’ ବୋଲି କହିଛନ୍ତି। ଏମିତିକି ଏସପିର ଅନ୍ୟତମ ସହଯୋଗୀ (ମମତା ବାନାର୍ଜୀ) ମହାକୁମ୍ଭକୁ ‘ମୃତ୍ୟୁକୁମ୍ଭ’ କୁହିବାକୁ ପଛାଇ ନାହାନ୍ତି। କଂଗ୍ରେସ, ଏସପି, ଆରଜେଡି, ଟିଏମସି ନେତାମାନେ ଏହି ଧାର୍ମିକ ମହତ୍ତ୍ବ ବହନ କରୁଥିବା ସମାବେଶ ସମ୍ବନ୍ଧରେ ଅତ୍ୟନ୍ତ ଦାୟିତ୍ବହୀନ ମନ୍ତବ୍ୟ ଦେଇଥିବା ଦର୍ଶାଇ ଯୋଗୀ କଡ଼ା ସମାଲୋଚନା କରିଛନ୍ତି।
ଉଲ୍ଲେଖ ଯେ, ସିପିସିବି ରିପୋର୍ଟରେ ସଙ୍ଗମ ଜଳରେ ଫେକାଲ କଲିଫର୍ମ ସ୍ତର ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା। ଫେକାଲ କଲିଫର୍ମ ଏକ ବ୍ୟାକ୍ଟେରିଆ ଯାହାକି ଉଷ୍ମ ରକ୍ତର ପ୍ରାଣୀ ତଥା ମଣିଷର ବୃହଦନ୍ତ୍ରରେ ଥାଏ। ଏହା ମଳ ଜରିଆରେ ପଦାକୁ ଆସିଥାଏ। ଏହି ବ୍ୟାକ୍ଟେରିଆ ଯେଉଁ ଜଳରେ ଯେତେ ପରିମାଣରେ ଉପସ୍ଥିତ ତାହା ସେତେ ମାତ୍ରାରେ ସଂକ୍ରମିତ ବୋଲି ବିବେଚନା କରାଯାଏ। କିନ୍ତୁ ସିପିସିବି ରିପୋର୍ଟରେ ଉପଯୁକ୍ତ ତଥ୍ୟର ଅଭାବ ଥିବା ଦର୍ଶାଇ ଏନଜିଟି ଉଭୟ ୟୁପିପିସିବି ଓ ୟୁପି ସରକାରଙ୍କୁ ଭର୍ସନା କରିଛନ୍ତି। ଗଙ୍ଗା ସମେତ ୟୁପିର ଅନ୍ୟ ସମସ୍ତ ନଦୀଗୁଡିକର ଜଳ ଗୁଣବତ୍ତା ଓ ଅମ୍ଳଯାନ ସ୍ତର ଭଳି ବିଭିନ୍ନ ତଥ୍ୟ ଉପସ୍ଥାପନ କରିବାକୁ ଏନଜିଟି ୟୁପି ସରକାରଙ୍କୁ ଏକ ସପ୍ତାହର ସମୟ ପ୍ରଦାନ କରିଛନ୍ତି।