ଭୁବନେଶ୍ୱର: ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ରାଜ୍ୟରେ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ରାଜ୍ୟସରକାର ଅଂଶୀଦାରମାନଙ୍କ ମତାମତ ଲୋଡିଛନ୍ତି। ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ଅବକାରୀ କମିଶନର ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ କୌଣସି ନୀତି ପ୍ରଣୟନ ପୂର୍ବରୁ ଜନସାଧାରଣ ଓ ଅଂଶୀଦାରମାନଙ୍କ ମତାମତ ଗ୍ରହଣ କରାଗଲେ ସଂପୃକ୍ତ ଆଇନ ଗ୍ରହଣୀୟ ହୋଇଥାଏ । ଏକ ଆଇନରେ ସମସ୍ତଙ୍କର ମତାମତ ସ୍ଥାନ ପାଇଲେ ଏହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଉତ୍ସାହପ୍ରଦ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।
ବୈଠକ ପ୍ରାରମ୍ଭରେ କମିଶନର ତଥା ଶାସନ ସଚିବ ଅବକାରୀ ନୀତି ସଂପର୍କରେ ଉପସ୍ଥାପନା ରଖିଥିଲେ । ଏହି ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍ ଅଫ୍ ଡୁଇଂ ବିଜିନେସ୍, ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିନିଧି, ହୋଟେଲ ଓ ରେସ୍ତୋରାଁ ସଂଘର କର୍ମକର୍ତ୍ତା, ଲାଇସେନ୍ସ ପ୍ରାପ୍ତ ଖୁଚୁରା ବ୍ୟବସାୟୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା ।
ସେହିଭଳି ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।