କେନ୍ଦୁଝର : ଏକ ସୁନ୍ଦର, ଅଧ୍ୟାତ୍ମିକ ପୃଥିବୀର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବା ପାଇଁ ଆମର ଚେତନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗିତା ଜରୁରୀ। ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ପୁରୁଣା ବଜାରଠାରେ ନବନିର୍ମିତ କାର୍ଯ୍ୟାଳୟ ‘ସୁଖ ଶାନ୍ତି ସରୋବର’କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ଆୟୋଜିତ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏହି ମହତ୍ତ୍ବପୂର୍ଣ୍ଣ ଦିନ ସାରା ବିଶ୍ୱରେ ଶାନ୍ତି ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି । ଏହା ସହ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦେଉଛି । ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ସମାଜରେ ଜାଗୃତି ଆଣି ଏକ ସାମଗ୍ରିକ ସ୍ଥାୟୀତ୍ବ ପାଇଁ ଏହି ସଂସ୍ଥାର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ, ଆଜିର ଏଇ କୃତ୍ରିମ ବୁଦ୍ଧିମତା (ଏଆଇ) ଯୁଗରେ ସମସ୍ତେ କର୍ମବ୍ୟସ୍ତତା ଭିତରେ କାହା ସହିତ ପଦେ ମନଭରି କଥା ହେବା ପାଇଁ ମଧ୍ୟ ଆମର ବେଳ ନଥିବାରୁ ପାରିବାରିକ ଓ ସାମାଜିକ ସମ୍ପର୍କ ଅବକ୍ଷୟଗାମୀ ହେଉଛି। ଏମିତିରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ନୀତି ନିଷ୍ଠା ପ୍ରଚେଷ୍ଟା ପୁନର୍ବାର ସେହି ପ୍ରେମ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରାଇ ଆଣିବ ବୋଲି ଶ୍ରୀ ମାଝୀ ଆଶା ବ୍ୟକ୍ତ କରିଥିଲେ ।
ଉଦଘାଟିତ ସୁଖ ଶାନ୍ତି ସରୋବର କେବଳ ଇଟା ଏବଂ ସିମେଣ୍ଟର ଏକ ଅଟ୍ଟାଳିକ ନୁହେଁ, ବରଂ ଏହା ଜ୍ଞାନ ଏବଂ କରୁଣାର ଏକ ପବିତ୍ର ସ୍ଥାନ। ଯେଉଁଠାରେ ବ୍ୟକ୍ତିମାନେ ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ଶିଖିବା, ବୃଦ୍ଧି ପାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଏକାଠି ହେବେ। ସମଗ୍ର ବିଶ୍ୱକୁ ଗଣିତ, ବିଜ୍ଞାନ, ସାହିତ୍ୟ ଛଡା ଭାରତର ଅନ୍ୟତମ ଅବଦାନ ଆଧ୍ୟାତ୍ମିକତାର ଜ୍ଞାନ ବଳରେ ମନୁଷ୍ୟ ଶାନ୍ତି ଓ ମୈତ୍ରୀର ପରିଭାଷା ଶିଖିପାରିଥିବା କହିବା ସହ ଆଧ୍ୟାତ୍ମିକତାର ଅନ୍ୟ ଏକ ଶାଖା ଯୋଗ ଦ୍ୱାରା ମଧ୍ୟ ଭାରତ ଆଜି ବିଶ୍ୱ ବିଦିତ ବୋଲି ସେ କହିଥିଲେ।
ଆଜି ସାରା ପୃଥିବୀ ପ୍ରତି ବର୍ଷ ଜୁଲାଇ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ, ୨୦୪୭ ମସିହାରେ ଯେତେବେଳେ ସମଗ୍ର ଭାରତବର୍ଷ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ, ବିକଶିତ ଭାରତର ଅଜେୟ ଗାଥାରେ, ଅର୍ଥନୀତି, ରାଜନୀତି, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଭଳି ଆଧ୍ୟାତ୍ମିକତା ମଧ୍ୟ ଅନନ୍ୟ ବ୍ୟାଖ୍ୟା ବହନ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ବ୍ରହ୍ମକୁମାରୀ କଟକ ସବ-ଜୋନ ନିର୍ଦ୍ଦେଶିକା ତଥା ରାଜଯୋଗିନୀ ଭଉଣୀ କମଲେଶ ଦିଦିଜୀ, ବ୍ରହ୍ମାକୁମାରୀ ସଂସ୍ଥାର ଅତିରିକ୍ତ ମୁଖ୍ୟ ତଥା ରାଜଯୋଗିନୀ ଭଉଣୀ ଜୟନ୍ତୀ ଦିଦିଜୀ ପ୍ରମୁଖ ଉପସ୍ଥିତ ଥିଲେ ।