ଭୁବନେଶ୍ବର: ବିଭିନ୍ନ ଯୋଜନା ବାବଦ ମଞ୍ଜୁର ଆର୍ଥିକ ଅନୁଦାନ ଖର୍ଚ୍ଚ କରି ନ ପାରିଲେ ଆସନ୍ତା ୨୮ ତାରିଖ ସୁଦ୍ଧା ଫେରସ୍ତ କରିବାକୁ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟ ତଥା ସଚିବମାନଙ୍କୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଆଜି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ବିଭାଗୀୟ ମୁଖ୍ୟ ସଚିବ ସାସ୍ବତ ମିଶ୍ର ଦର୍ଶାଇଛନ୍ତି ଯେ, ବିଭିନ୍ନ ବିଭାଗଗୁଡିକ ମଞ୍ଜୁର ଅନୁଦାନ ରାଶି ଆବଣ୍ଟନ, ପାଣ୍ଠି ଯୋଗାଣ, ପାଣ୍ଠିର ପୁନଃ ବିନିଯୋଗ ପ୍ରଭୃତି ପୂର୍ବନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏସମ୍ବନ୍ଧୀୟ ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ବୃଦ୍ଧି କରାଯାଇଛି। ଆଗାମୀ ୨୮ ତାରିଖ ସୁଦ୍ଧା ପାଣ୍ଠି ଯୋଗାଣ ନେଇ ମଞ୍ଜୁରୀ ନିର୍ଦ୍ଦେଶ ଜାରି କରିବା, ପାଣ୍ଠିର ପୁନର୍ବିନିଯୋଗ ତଥା ଆଲଟମେଣ୍ଟ କାର୍ଯ୍ୟ ଶେଷ କରିବା ସହିତ ବିନିଯୋଗ ହୋଇ ନ ଥିବା ପାଣ୍ଠି ଫେରସ୍ତ କରିବାକୁ କୁହାଯାଇଛି। ସେହିଭଳି ଆକସ୍ମିକ ପରିସ୍ଥିତି, ଯନ୍ତ୍ରପାତି, ଉପକରଣ, ଯାନବାହାନ, ଅଂଶଧନ ପୁଞ୍ଜି, ସବସିଡି ଏବଂ ଋଣ ସମ୍ବନ୍ଧୀୟ ବିଲ୍ ଗୁଡିକୁ ମାର୍ଚ୍ଚ ୧୦ ସୁଦ୍ଧା ଦାଖଲ କରିବାକୁ ସମୟସୀମା ଦିଆଯାଇଛି। ଏହି ସମୟସୀମାକୁ ଅର୍ଥ ବିଭାଗ ଅପରିବର୍ତ୍ତିତ ରଖିଛନ୍ତି। ସେହିଭଳି ଅନ୍ୟାନ୍ୟ ଖର୍ଚ୍ଚ ବାବଦ ବିଲ୍ଗୁଡିକୁ ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ୧୫ ପରିବର୍ତ୍ତେ ମାର୍ଚ୍ଚ ୧୭ ସୁଦ୍ଧା ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଆର୍ଥିକ ବର୍ଷର ଶେଷ ଆଡ଼କୁ କେନ୍ଦ୍ରୀୟ ସହାୟତା ପାଇବାର ସମ୍ଭାବନା ଏବଂ ତାହାର ଖର୍ଚ୍ଚ କରିବାର ସୁଯୋଗ ଥିଲେ, କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସମ୍ବନ୍ଧୀୟ ବଜେଟ୍ ଆବଣ୍ଟନ ନିୟମିତ ଉପାୟରେ ସମର୍ପଣ କରାଯାଇପାରିବ ନାହିଁ। ଯଦି ନିର୍ଦ୍ଦିଷ୍ଟ ସମୟସୀମା ପରେ କେନ୍ଦ୍ରୀୟ ସହାୟତା ବିଳମ୍ବରେ ପ୍ରାପ୍ତି ହୁଏ, ତେବେ ପ୍ରଶାସନିକ ବିଭାଗଗୁଡ଼ିକ ତୁରନ୍ତ ସମୟସୀମା ବୃଦ୍ଧି ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦେଇପାରିବେ ବୋଲି ଅର୍ଥ ବିଭାଗ ମୁଖ୍ୟ ସଚିବ ଶ୍ରୀ ମିଶ୍ର ଦର୍ଶାଇଛନ୍ତି।