ସାର୍ବଜନୀନ କାର୍ଯ୍ୟକ୍ରମରେ ଆପ୍ ମୁଖ୍ୟଙ୍କ ଦେଖା ମିଳୁନାହିଁ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ (ଆମ ଆଦମୀ ପାର୍ଟି)ର ପରାଜୟ ପରଠାରୁ, ଦଳୀୟ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖାଯାଇନାହିଁ। ନୂଆଦିଲ୍ଲୀରେ ବିଜେପି ନେତା ପରବେଶ ବର୍ମାଙ୍କ ଦ୍ୱାରା ପରାଜିତ କେଜରିୱାଲଙ୍କୁ ଶେଷ ଥର ପାଇଁ ଗତ ୨୩ ତାରିଖରେ ଆପ୍ ବିଧାୟକ ଦଳର ବୈଠକରେ ସାର୍ବଜନୀନ ଭାବରେ ଦେଖାଯାଇଥିଲା। ଏହି ବୈଠକରେ ଦଳୀୟ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବିରୋଧୀ ଦଳ ନେତା ଭାବରେ ଘୋଷଣା କରାଯାଇଥିଲା। କିନ୍ତୁ ଏହି ବୈଠକକୁ ଛାଡି ଦେଲେ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ କେଜ୍ରିଓ୍ବାଲଙ୍କୁ ଦେଖିବାକୁ ମିଳୁ ନ ଥିବାରୁ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେଜ୍ରିଓ୍ବାଲ କେଉଁଠାରେ ଅଛନ୍ତି? କ’ଣ ରହିଛି ତାଙ୍କ ପରବର୍ତ୍ତୀ ଯୋଜନା? କାହିଁକି ସାର୍ବାଜନୀନ କାର୍ଯ୍ୟକ୍ରମରେ ତାଙ୍କ ଦେଖା ମିଳୁନାହିଁ? କି ରଣନୀତି ଆପଣାଇଛନ୍ତି ଆପ୍ ମୁଖ୍ୟ? ଏବେ ରାଜନୈତିକ ମହଲରେ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେଜ୍ରିୱାଲ ହଠାତ୍ ଏଭଳି ସାର୍ବାଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିବା ତାଙ୍କ ପରବର୍ତ୍ତୀ ପଦକ୍ଷେପ ବିଷୟରେ କୌତୁହଳ ସୃଷ୍ଟି କରିଛି। ଅନ୍ୟପଟେ ସେ ପଞ୍ଜାବରୁ ରାଜ୍ୟସଭାରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଆପ୍ ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଲୁଧିଆନା ପଶ୍ଚିମ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଦଳ ପକ୍ଷରୁ ଘୋଷଣା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆରୋରା ଲୁଧିଆନା ପଶ୍ଚିମ ଉପନିର୍ବାଚନ ଲଢିବାର ନିଷ୍ପତ୍ତି କେଜ୍ରିୱାଲଙ୍କ ରାଜ୍ୟସଭା ଆସନ ପାଇଁ ପଥ ପ୍ରଶସ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କଂଗ୍ରେସ ଏବଂ ବିଜେପି ମଧ୍ୟ ପ୍ରତିକ୍ରିୟା ଦେଇଥିଲେ।
ମାତ୍ର ଆପ୍ ପକ୍ଷରୁ ଏହି କଳ୍ପନାଜଳ୍ପନାକୁ ଅସ୍ବୀକାର କରାଯାଇଛି। ଏମିତିକି କେଜ୍ରିଓ୍ବାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କୀତ ଗୁଜବକୁ ମଧ୍ୟ ଆପ୍ ପକ୍ଷରୁ ପୂର୍ବରୁ ଖଣ୍ଡନ କରାଯାଇଥିଲା। ଯଦି ଏହି ଦୁଇଟି ବିକଳ୍ପ ମଧ୍ୟରୁ କୌଣସି ଗୋଟିଏକୁ କେଜ୍ରିଓ୍ବାଲ କାର୍ଯ୍ୟକାରୀ କରିବେ ନାହିଁ, ତେବେ ସେ ଭିବିଷ୍ୟତ ରଣନୀତିକୁ ନେଇ କି ଯୋଜନା କରୁଛନ୍ତି ବୋଲି ଆଲୋଚନା ହେଉଛି। ସେପଟେ ଦିଲ୍ଲୀର ବିବାଦୀୟ ମଦ ନୀତି ଉପରେ ସିଏଜି ରିପୋର୍ଟ ଉପସ୍ଥାପନକୁ ନେଇ ହୋହଲ୍ଲା କାରଣରୁ ବିଧାନସଭାରୁ ୨୧ ଜଣ ଆପ୍ ବିଧାୟକଙ୍କୁ ନିଲମ୍ବିତ କରାଯିବା ପରେ ମଧ୍ୟ କେଜରିୱାଲ ଆଶ୍ଚର୍ଯ୍ୟଜନକ ଭାବେ ନୀରବ ରହିଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେଜ୍ରିୱାଲ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି। ଯେଉଁଠାରେ ଦଳକୁ ତୃଣମୂଳସ୍ତରରୁ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ବିଶେଷକରି ପଞ୍ଜାବ ଉପରେ କେଜ୍ରିଓ୍ବାଲଙ୍କ ଫୋକସ ରହିଛି।
ତେବେ ନଭେମ୍ବରରେ ବିହାରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଆପ୍ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢ଼ିବା ନେଇ କେଜ୍ରିୱାଲଙ୍କ ଯୋଜନା ଏବେ ଶୀତଳ ଭଣ୍ଡାରରେ ପଡ଼ିଛି। କାରଣ ଆପ ବିହାରରେ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ। ବର୍ତ୍ତମାନ ପାଇଁ କେଜ୍ରିୱାଲ ଲୁଧିଆନା ପଶ୍ଚିମ ଉପନିର୍ବାଚନ ଜିତିବା ଉପରେ ଫୋକସ କରୁଛନ୍ତି। ପରବର୍ତ୍ତୀ ସମୟରେ ସେ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ଉପରେ ଦୃଷ୍ଟି ନିବଦ୍ଧ କରିବେ। ସୂତ୍ର ଅନୁସାରେ କେଜ୍ରିୱାଲ ନିୟମିତ ଭାବେ ପଞ୍ଜାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦଳୀୟ ନେତାମାନଙ୍କ ସହିତ ବୈଠକ କରୁଛନ୍ତି। ଆପ ମୁଖ୍ୟ ରାଜ୍ୟର ତୃଣମୂଳସ୍ତରୀୟ କର୍ମୀଙ୍କଠାରୁ ମଧ୍ୟ ମତାମତ ନେଇ ମଜବୁତ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି।
ନିକଟରେ କେଜ୍ରିୱାଲଙ୍କ ବାସଭବନରେ ପଞ୍ଜାବ ନେତା ଏବଂ ରାଜ୍ୟ ପ୍ରଭାରୀଙ୍କ ସହିତ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ପରାଜୟ ପରେ ଆପ ମୁଖ୍ୟଙ୍କ ଧ୍ୟାନ ଏବେ ସାଂଗଠନିକ ଶକ୍ତି ଏବଂ ଶାସନ ମଡେଲ ଉପରେ ରହିଛି।