- ଯାଞ୍ଚ ପାଇଁ ପ୍ରସ୍ତୁତ କମିଟି ଗଠନ
- ପ୍ରତି ୩ ଦିନରେ ପହଞ୍ଚିବ ତଥ୍ୟ
- ସତର୍କ ରହିବାକୁ ଭୋଟରଙ୍କୁ ଅପିଲ୍
କୋଲକାତା: ଆସନ୍ତା ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜୟର ଭୟ ଏବେଠାରୁ ଘାରିଲାଣି। ମହାରାଷ୍ଟ୍ର, ଓଡ଼ିଶା ଏବଂ ଦିଲ୍ଲୀରେ ବିଜେପିର ବିପୁଳ ବିଜୟ ଦେଖି ଦିଦି ବିଳିବିଳେଇବା ଆରମ୍ଭ କଲେଣି। ଏହି କ୍ରମରେ ସେ ଏବେ ପୁଣିଥରେ ବିଜେପି ଉପରେ ଭୋଟର ତାଲିକାରେ ଜାଲିଆତିର ଅଭିଯୋଗ ଲଦିବାକୁ ଉଦ୍ୟମ କରିଛନ୍ତି। ନିର୍ବାଚନ କମିଶନ(ଇସି)ଙ୍କ ଆଶୀର୍ବାଦରେ ବିଜେପି ଭୋଟରମାନଙ୍କୁ ବିଭ୍ରାନ୍ତ କରୁଥିବାର ସାଙ୍ଘାତିକ ଅଭିଯୋଗ ଉଠାଇଛନ୍ତି ଟିଏମ୍ସି ମୁଖ୍ୟ ମମତା। ନିର୍ବାଚନ ଜିତିବାକୁ ବିଜେପି ଭୋଟର ତାଲିକାରେ ମିଥ୍ୟା ମତଦାତା ସାମିଲ କରୁଥିବାର ସାଙ୍ଘାତିକ ଅଭିଯୋଗ କରିଛନ୍ତି ମମତା। ଏମିତିକି ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ଭୋଟର ତାଲିକା ଯାଞ୍ଚ କରିବା ନିମନ୍ତେ ସେ ଗୁରୁବାର ଏକ କମିଟି ଗଠନ କରିଥିବା ଜଣାପଡିଛି।
ମମତା ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ବିଭ୍ରାନ୍ତ କରିବା ଲାଗି ବିଜେପି ଭୋଟର ତାଲିକାରେ ମିଥ୍ୟା ମତାଦାତାଙ୍କ ନାମ ସାମିଲ କରିଥିଲା। ଦଳ ସମାନ ତରିକା ପଶ୍ଚିମବଙ୍ଗରେ ମଧ୍ୟ ଆପଣାଉଛି। ଏମିତିକି ବିଜେପି କାଳେ ‘ଆସୋସିଏସନ ଫର୍ ବିଲଅନ ମାଇଣ୍ଡସ’ ନାମକ ଏକ ଏଜେନ୍ସିକୁ ପଶ୍ଚିମବଙ୍ଗ ପଠାଇଥିଲା। ଏହି ସଂସ୍ଥା ପଶ୍ଚିମବଙ୍ଗର ଭୋଟରମାନଙ୍କୁ ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ବିହାରର ଭୋଟରଙ୍କ ସହିତ ବଦଳ କରୁଛି ବୋଲି ମମତା କହିଛନ୍ତି। ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏହି ସଂସ୍ଥା ଅନଲାଇନରେ ଭୋଟର ତଥ୍ୟ ଅପଲୋଡ କରୁଛି। ଅପଲୋଡ ବେଳେ ପଶ୍ଚିମବଙ୍ଗ ଭୋଟରଙ୍କ ନିର୍ବାଚନୀ ଫଟୋ ପରିଚୟ ପତ୍ର ନମ୍ବର ସମାନ ରଖାଯାଉଛି, କିନ୍ତୁ ସେମାନଙ୍କ ନାମ ସ୍ଥାନରେ ଅନ୍ୟ ରାଜ୍ୟର ଭୋଟରଙ୍କ ନାମ ସ୍ଥାନିତ କରାଯାଉଥିବାର ସାଙ୍ଘାତିକ ଅଭିଯୋଗ କରିଛନ୍ତି ମମତା। ତେବେ ଅଧିକାଂଶ ମିଥ୍ୟା ଭୋଟର ହରିଆଣା ଓ ଗୁଜରାଟର ବୋଲି ସେ ଦର୍ଶାଇଛନ୍ତି।
ସେ ଆହୁରି କହିଛନ୍ତି ଯେ, କୌଣସି ଦିନ ଏନଆରସି ଏବଂ ସିଏଏ ନାମରେ ଭୋଟରଙ୍କ ପ୍ରକୃତ ନାମ ହଟାଇ ଦିଆଯିବ। ଏଭଳି କରିବା ପଛରେ ଟିଏମସିକୁ ପରାଜିତ କରିବା ଏବଂ ଭୋଟର ତାଲିକା ପରିବର୍ତ୍ତନର ଉଦ୍ଦେଶ୍ୟ ରହିଛି। ସେହିଭଳି ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯିବା ଉପରେ ପ୍ରଶ୍ନ ଉଠାଇ ମମତା ଆହୁରି କହିଛନ୍ତି ଯେ, ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିବା ଲାଗି ବିଜେପି ଏଭଳି ସାଙ୍ଘାତିକ ପଦକ୍ଷେପ ନେଇଛି । ଏହା ଦ୍ବାରା ପ୍ରକୃତ ମତଦାତାଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ବିଜେପି ଏହି ପ୍ରକ୍ରିୟା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଆପଣାଇଥିବା ବେଳେ ସେଠାକାର ବିପକ୍ଷ ଏହି ଜାଲିଆତି ସମ୍ପର୍କରେ ଜାଣିପାରି ନ ଥିଲା। ପଶ୍ଚିମବଙ୍ଗର ପ୍ରତ୍ୟେକ ଭୋଟର ନିଜ ଭୋଟର ତାଲିକା ଯାଞ୍ଚ କରିବାକୁ ମମତା ଅପିଲ କରିଛନ୍ତି। ଏଥିସହ ଏହି ଭୋଟର ତାଲିକା ଯାଞ୍ଚ ପାଇଁ ଏକ ଆଇଟି ମେଡିଆ ସେଲ, ପଞ୍ଚାୟତ କାଉନସିଲର ଏବଂ ଏକ କୋର କମିଟି ଗଠନ କରାଯାଉଥିବା ମମତା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ୩ ଦିନରେ ତାଙ୍କ ନିକଟରେ ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ପହଞ୍ଚିବ। କମିଟିର ୪ ସଦସ୍ୟ ନିରନ୍ତର ଉପସ୍ଥିତ ରହିବେ। ତେବେ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାରେ ବୀରଭୂମକୁ ସାମିଲ କରାଯିବ ନାହିଁ। ଜିଲ୍ଲା ଅଧ୍ୟକ୍ଷ ଏକ ବୁଥ୍ କମିଟି ଗଠନ କରି ଏହାର ତଦାରଖ କରିବେ। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଯେକୌଣସି ସମୟରେ ଦେଶରେ ଏକ ରାଷ୍ଟ୍ର ଏକ ନିର୍ବାଚନ ଲାଗୁ କରିପାରନ୍ତି। ଏମିତିରେ ଭୋଟର ତାଲିକାକୁ ନେଇ ସତର୍କ ରହିବାକୁ ମମତା ଅପିଲ କରିଛନ୍ତି। ଏମିତିକି ଆବଶ୍ୟକ ପଡିଲେ ଏଭଳି ଜାଲିଆତି ବିରୋଧରେ ସେ ଆମରଣ ଅନଶନ ଆରମ୍ଭ କରିପାରନ୍ତି ବୋଲି ମମତା ପରୋକ୍ଷରେ ସଙ୍କେତ ଦେଇଛନ୍ତି। ମମତାଙ୍କ ଏହି ସାଙ୍ଘାତିକ ଅଭିଯୋଗ ଉପରେ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।