ବେଙ୍ଗାଲୁରୁ: କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ବ ସମ୍ବଳିତ ପ୍ଲାଷ୍ଟିକରେ ଇଡଲି ତିଆରି କରାଯାଉଥିବା ନେଇ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ବିଭାଗ ସତର୍କତା ଜାରି କରିଛି। ରାଜ୍ୟର ୫୨ଟି ହୋଟେଲରେ ଏହି କ୍ଷତିକାରକ ପଲିଥିନ ଦ୍ବାରା ଇଟିଲି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ସ୍ବାସ୍ଥ୍ୟ ବିଭାଗ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଗୁରୁବାର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପୂର୍ବରୁ ଇଡଲି ପ୍ରସ୍ତୁତିରେ କପଡାର ବ୍ୟବହାର କରାଯାଉଥିଲା। ମାତ୍ର କିଛି ହୋଟେଲ ଏବେ ଏହି କ୍ଷତିକାରକ ପଲିଥିନର ବ୍ୟବହାର କରୁଛନ୍ତି। ଏହା ଜଣାପଡିବା ପରେ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ୨୫୧ଟି ସ୍ଥାନରୁ ଇଡଲିର ନମୁନା ସଂଗ୍ରହ କରି ଯାଞ୍ଚ କରାଯାଇଥିଲା। ଏହି ନମୁନାଗୁଡିକ ମଧ୍ୟରୁ ୫୨ଟିରେ ପ୍ଲାଷ୍ଟିକ ବ୍ୟବହାର କରାଯାଇଥିବା ପ୍ରମାଣିତ ହୋଇଥିଲା। ଏହି ପ୍ଲାଷ୍ଟିକରେ ଥିବା କାରସିଓଜେନିକ ତତ୍ତ୍ବ ଇଡିଲି ମାଧ୍ୟମରେ ମଣିଷ ଶରୀରକୁ ଯାଇ କର୍କଟରୋଗ ସମେତ ବହୁ ଜୀବନନାଶକାରୀ ରୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ ସତର୍କ କରିଛନ୍ତି।