ପ୍ରସ୍ତାବିତ ଆୟକର ବିଲ୍ରେ ସ୍ବତନ୍ତ୍ର ବ୍ୟବସ୍ଥା
୨୦୨୬ ଏପ୍ରିଲ ୧ରୁ ଲାଗୁ ସମ୍ଭାବନା
ଆୟକର ଠକେଇର ଯାଞ୍ଚ ବେଳେ ଲୋକଙ୍କ ଘରେ ଚଢାଉ ପୂର୍ବକ କବାଟ, ଘରେ ଥିବା ବାକ୍ସ, ଲକର, ଆଲମିରା, ସେଫ୍ ପ୍ରଭୃତି ଭାଙ୍ଗି ପାରୁଥିବା ଆୟକର ଅଧିକାରୀମାନେ ଏଣିକି ଇମେଲ୍, ବାଣିଜ୍ୟ ଆକାଉଣ୍ଟ, ସୋସିଆଲ ମିଡିଆ ପ୍ରୋଫାଇଲର ଖୋଳତାଡ଼ କରିପାରିବେ। ଏ ନେଇ ପ୍ରସ୍ତାବିତ ନୂଆ ଆୟକର ବିଧେୟକରେ ଏକ ବିଶେଷ ବ୍ୟବସ୍ଥା ରହିଛି। ଟିକସ ଫାଙ୍କି ଅଥବା ଅଘୋଷିତ ସମ୍ପତ୍ତି ଉପରେ ଟିକସ ଫାଙ୍କି ସନ୍ଦେହ ସ୍ଥଳେ ଆୟକର ଅଧିକାରୀମାନେ ଏହି ଧାରରେ ଉପଯୋଗ ପୂର୍ବକ ଯାଞ୍ଚ କରିପାରିବେ। ଏହି ବିଶେଷ ବ୍ୟବସ୍ଥା ଟିକସ କର୍ତ୍ତୃପକ୍ଷଙ୍କୁ ବ୍ୟାପକ କ୍ଷମତା ପ୍ରଦାନ କରେ । ୨୦୨୬ ଏପ୍ରିଲ ୧ରୁ ଏହି ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସଂଶୋଧିତ ଆୟକର ବିଧେୟକ, ୨୦୨୫କୁ ସଂସଦରେ ଉପସ୍ଥାପନ କରିଛନ୍ତି। ପ୍ରସ୍ତାବିତ ବିଧେୟକ ଛଅ ଦଶନ୍ଧି ପୁରୁଣା ଟିକସ ଢାଞ୍ଚା (ଆୟକର ଆଇନ ୧୯୬୧)ର ଏକ ସଂଶୋଧନ ବୋଲି ଦର୍ଶାଯାଇଛି। କିନ୍ତୁ ଏହା ଆଇନରେ ପରିଣତ ହେବା ପୂର୍ବରୁ ଏକ ଚୟନ କମିଟି ଏହାର ସମୀକ୍ଷା କରିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଭର୍ଚୁଆଲ ଡିଜିଟାଲ ସ୍ପେସରେ ଟିକସ କର୍ତ୍ତୃପକ୍ଷଙ୍କୁ ବର୍ତ୍ତମାନ ପ୍ରବେଶ ଅନୁମତି ନ ଥିବା ବେଳେ ନୂଆ ବିଧେୟକ ଏହାର ବାଟ ପରିଷ୍କାର କରିବ। ଆୟକର ଅଧିକାରମାନେ ଯାଞ୍ଚ ସମୟରେ ବ୍ୟକ୍ତିଙ୍କ ଡିଜିଟାଲ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରିପାରିବେ। ଯଦି କୌଣସି ଟିକସଦାତା ଏଥିରେ ଅସହମତି ପ୍ରକାଶ କରନ୍ତି, ତେବେ ଆୟକର ଅଧିକାରୀମାନେ ପାସଓ୍ବାର୍ଡକୁ ଅତିକ୍ରମ କରି ସିକ୍ୟୁରିଟି ସେଟିଂକୁ ଭାଙ୍ଗି ସମ୍ପୃକ୍ତ ବ୍ୟକ୍ତିଙ୍କ ଡିଜିଟାଲ ସ୍ପେସରେ ପ୍ରବେଶ ପୂର୍ବକ ଫାଇଲଗୁଡିକ ଖୋଲିପାରିବେ। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ବିନା ଏହି ନୂତନ କ୍ଷମତାଗୁଡ଼ିକର ଉପଯୋଗ ସାଧାରଣ ଲୋକଙ୍କୁ ହଇରାଣ କରିବା ତଥା ବ୍ୟକ୍ତିଗତ ତଥ୍ୟର ଅନାବଶ୍ୟକ ଯାଞ୍ଚର କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।