କ୍ରୁର ମୋଘଲ ସମ୍ରାଟ ଔରଙ୍ଗଜେବଙ୍କୁ ସମର୍ଥନ କରି ଅଡୁଆରେ ପଡିଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଆବୁ ଅାଜମୀ। ତାଙ୍କୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଛି। ସମ୍ପ୍ରତି ଔରଙ୍ଗଜେବଙ୍କ କ୍ରୁରତା ଉପରେ ଆଧାରିତ ଚଳଚ୍ଚିତ୍ର ଛତ୍ରପତି ସାମ୍ଭାଜୀ ଚର୍ଚ୍ଚାରେ ଥିବା ବେଳେ ଆଜମି ଏହି ମୋଗଲ ସମ୍ରାଟଙ୍କୁ ସମର୍ଥନ କରି ଦେଇଥିବା ବୟାନ ବିତର୍କ ସୃଷ୍ଟି କରିଥିଲା। ଯାହାକୁ ନେଇ ୪ ଥରର ବିଧାୟକ ଆଜମୀଙ୍କୁ ନିଲମ୍ବିତ କରିବା ଲାଗି ବୁଧବାର ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ଅନ୍ୟାୟ ବୋଲି ଅଜମୀ କହିଛନ୍ତି।
ଦୁଇ ଦିନ ପୂର୍ବେ ଆଜମି କହିଥିଲେ ଯେ, ଔରଙ୍ଗଜେବ କ୍ରୁର ନ ଥିଲେ, ବରଂ ଇତିହାସରେ ଭୁଲ୍ ତଥ୍ୟ ଦିଆଯାଇ ତାଙ୍କୁ କ୍ରୁର ଚିତ୍ରଣ କରାଯାଇଛି। ଏମିତିକି ଔରଙ୍ଗଜେବ ଅନେକ ମନ୍ଦିର ନିର୍ମାଣ କରିଥିଲେ। ତାଙ୍କ ଶାସନକାଳରେ ଭାରତର ସୀମା ଆଫଗାନିସ୍ତାନ ଓ ବର୍ମା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ସେତେବେଳେ ଭାରତର ଜିଡିପି ୨୪% ଥିଲା। ଭାରତକୁ ସୁନା ଚଢେଇ ଔରଙ୍ଗଜେବଙ୍କ ପାଇଁ କୁହାଯାଉଥିଲା ବୋଲି କହିବାକୁ ସେ ପଛାଇ ନ ଥିଲେ। ମାତ୍ର ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି ଓ ଶିବସେନା ପକ୍ଷରୁ ଆଜମୀଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା।