ସାଟେଲାଇଟ ଚିତ୍ରରୁ ଧାରାପଡିଲା ସତ
ନୂଆଦିଲ୍ଲୀ : ଆତଙ୍କବାଦଙ୍କୁ ନେଇ ଯେମିତି ‘ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡା କାଠେ’ ନ୍ୟାୟରେ ଚାଲିଛି ପାକିସ୍ତାନ। ଆତଙ୍କବାଦ ବିରୋଧରେ ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ଅର୍ଥନୈତିକ କ୍ରିୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ୨୦୨୨ ଅକ୍ଟୋବାରରେ ଏହାର ଗ୍ରେ (ଧୂସର) ତାଲିକାରୁ ବାଦ୍ ଦେଇଥିଲା। ମାତ୍ର ପ୍ରକୃତି ନୈବତ୍ ମୋଚ୍ୟତେ ନ୍ୟାୟରେ ପୁନଃ ଆତଙ୍କବାଦକୁ ନିଜ ଅଣ୍ଟିରେ ପ୍ରଶ୍ରୟ ଦେବା ଆରମ୍ଭ କରିଛି ପାକିସ୍ତାନ। ସାଟେଲାଇଟ ଚିତ୍ରରେ ଧରାପଡିଛି ପାକିସ୍ତାନର ସତ। ଦୁର୍ଦ୍ଦାନ୍ତ ଆତଙ୍କୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ(ଜେଇଏମ) ଏବେ ବାହାଓ୍ବାଲପୁରଠାରେ ଏହାର ଆଡ୍ଡା ସମ୍ପ୍ରସାରଣ କରୁଥିବା ଏଥିରେ ଚିହ୍ନଟ କରାଯାଇଛି।
ସାଟେଲାଇଟ ଚିତ୍ର ଅନୁସାରେ ୨୦୧୧-୧୨ ତୁଳନାରେ ଏହି ସ୍ଥାନରେ ଜୈଶ ନିଜ ଆତଙ୍କୀ ଶିବିରର କାୟା ଦୁଇଗୁଣା ବୃଦ୍ଧି କରିଛି। ଯାହାକି ଏବେ ୧୮ ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ ହୋଇଛି। ରିପୋର୍ଟ ଅନୁସାରେ, ୨୦୨୨ର ଶେଷ ଆଡକୁ ହିଁ ଜୈଶ ଏହି ଶିବରର ସମ୍ପ୍ରସାରଣ କାର୍ଯ୍ୟ ତ୍ବରାନ୍ବିତ କରିଥିଲା। ଯାହାକି ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଯିବା ପରେ ହୋଇଥିଲା।
ଅନ୍ୟ ଏକ ତଥ୍ୟ ଅନୁସାରେ, ଆତଙ୍କୀ କ୍ୟାଡର ନିଯୁକ୍ତ କରିବା ତଥା ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ କରିବା ନିମନ୍ତେ ପାକିସ୍ତାନ ଉସମାନ-ଓ-ଅଲି କ୍ୟାମ୍ପସକୁ ବ୍ୟବହାର କରୁଛି।
ସବୁଠୁ ସାଙ୍ଘାତିକ ଖବର ହେଲା, ଜୈଶ କେବଳ ଏହି ଶିବିରକୁ ସମ୍ପ୍ରସାରଣ କରିନାହିଁ କି ଆତଙ୍କୀ ବୃଦ୍ଧି ଓ ପାଣ୍ଠି ଯୋଗାଣରେ ସୀମିତ ନାହିଁ, ବରଂ ଏହି ସମ୍ପ୍ରସାରିତ ଶିବିରରେ ଗତ ଫେବୃଅାରୀ ୧୬ରେ ଆତଙ୍କୀଙ୍କର ବଡ଼ ସମାବେଶ ମଧ୍ୟ ହୋଇଥିବା ଜଣାପଡିଛି। ‘ଇନଫାକ ଫି ସାବିଲିଲା’ (ଆଲ୍ଲାଙ୍କ ମାର୍ଗରେ ନିବେଶ)ଶୀର୍ଷକ ଏହି କାର୍ଯ୍ୟକ୍ରମ ଶିବିରର ସେଣ୍ଟ୍ରାଲ ହଲଠାରେ ଆୟୋଜିତ ହୋଇଥିଲା। ଏଥିରେ ଜୈଶ ପ୍ରତିଷ୍ଠାତା ମାସୁଦ ଆଝାରର ଭାଇ ତଥା ଗୋଷ୍ଠୀର ପ୍ରମୁଖ ନେତା ତାଲା ଅଲ-ସୈଫ ନିଜ ଗୋଷ୍ଠୀକୁ ଉଦ୍ବୋଧନ ଦେଇଥିଲେ।
ସାଟେଲାଇଟ ଚିତ୍ରରେ ଦେଖିବାକୁ ମିଳୁଥିବା ଶିବିର ମଧ୍ୟରେ ଏକାଧିକ ଅଟ୍ଟାଳିକା ନିର୍ମାଣ କରାଯାଇଥିବା ବେଳେ ଏକ ମସଜିଦ ମଧ୍ୟ ରହିଥିବା ଜଣାପଡିଛି। ଜାନୁଆରୀ ୧୦ର ଏହି ଚିତ୍ରକୁ ଟେକ୍ନୋଲୋଜି କମ୍ପାନୀ ମାକ୍ସାର ଟେକ୍ନୋଲୋଜିଜ୍ ପ୍ରଦାନ କରିଥିଲା।