ଜଷ୍ଟିସ୍ ବିଶ୍ବନାଥ ଲ’ କମିଶନର
ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ଓଡ଼ିଶା ଲ’ କମିଶନ ଗଠନ କରିଛନ୍ତି। ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରାଯାଇଛି। ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତିରେ ବିଭାଗୀୟ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ଦର୍ଶାଇଛନ୍ତି ଯେ,ପ୍ରଫେସର ଲଲିତ କୁମାର ଦେବ, ବରିଷ୍ଠ ଆଡଭୋକେଟ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ବରିଷ୍ଠ ଆଡଭୋକେଟ ସୌର ଚନ୍ଦ୍ର ମହାପାତ୍ର କମିଶନର ସଦସ୍ୟ ରହିବେ। ଏଥିସହ ଓଡ଼ିଶା ଆଡଭୋକେଟ ଜେନେରାଲ ଏବଂ ନିଜେ ଆଇନ ବିଭାଗ ପ୍ରମୁଖ ସଚିବ ଏହି କମିଶନରେ ଏକ୍ସ ଅଫିସିଓ ସଦସ୍ୟ ରହିବେ। ସେହିଭଳି ସରକାରଙ୍କ ଏକ୍ସ ଅଫିସିଓ ଅତିରିକ୍ତ ସଚିବ ତଥା କମିସନ ସଚିବ ମଧ୍ୟ ମେମ୍ବର ସେକ୍ରେଟାରୀ ରହିବେ। ଉଲ୍ଲେଖ ଯେ, ରାଜ୍ୟରେ ଲ’ କମିଶନ ଗଠନ କରିବା ଲାଗି ଗତ ଜାନୁଆରୀ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।