‘କେମ୍ବ୍ରିଜରେ ଫେଲ୍ ହୋଇଥିଲେ ରାଜୀବ’
ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଦାୟଦଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁନଃ ବିବାଦ ସୃଷ୍ଟି ହୋଇଛି। ହେଲେ ଏଥର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୁହନ୍ତି, ବରଂ ଟାର୍ଗେଟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ରାଜୀବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟର ଯେଉଁ ବୟାନ ଦେଇଛନ୍ତି, ତାହା କଂଗ୍ରେସ ବିରୋଧୀଙ୍କୁ ଚର୍ଚ୍ଚାର ନୂତନ ମସଲା ଯୋଗାଇଛି। ମଣିଶଙ୍କର କହିଛନ୍ତି ଯେ, ରାଜୀବ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଫେଲ୍ ହୋଇଥିଲେ। ଏମିତିକି ସେ ଇମ୍ପେରିଆଲ କଲେଜରେ ମଧ୍ୟ ଉତ୍ତିର୍ଣ୍ଣ ହୋଇପାରି ନ ଥିଲେ। ଏହାସତ୍ତ୍ବେ ରାଜୀବ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ମଣିଶଙ୍କରଙ୍କ ଏହି ବାୟାନ ସମ୍ବଳିତ ଏକ ଭିଡିଓକୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ସୋସିଆଲ ସାଇଟ ଏକ୍ସରେ ଶେୟାର କରିଛନ୍ତି। ଏଥିରେ ମଣିଶଙ୍କର ଆହୁରି କହିଛନ୍ତି ଯେ, ରାଜୀବ ଦୁଇଥର ଫେଲ ହୋଇଥିବା ବେଳେ ସେ କିଭଳି ପାଇଲଟ ହେଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ତେବେ ଏହି ଭିଡିଓଟି କେଉଁ ସମୟର ତାହା ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ କଂଗ୍ରେସ ପକ୍ଷରୁ ଏହି ବୟାନକୁ ଅସ୍ବୀକାର କରାଯିବା ସହିତ ରାଜୀବ ଦେଶର ଜଣେ ପ୍ରମୁଖ ନେତା ଥିଲେ ବୋଲି କୁହାଯାଇଛି।