ନୂଆଦିଲ୍ଲୀ,୨୭ ।୪: ଚିଫ୍ ଅଫ୍ ଜେନେରାଲ୍ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନିଲ ଚୌହାନ ରବିବାର ଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ସମୟରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ମୁକାବିଲା କରିବା ପାଇଁ ସେନା ଦ୍ୱାରା ନିଆଯାଇଥିବା ‘ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି’ ବିଷୟରେ ସୂଚନା ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସୂଚନା ଦେଇଥିବା ଜଣାପଡିଛି । ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକ, ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କୁ ନିର୍ମମ ଭାବରେ ଗୁଳି କରାଯାଇଥିଲା।
ଜମ୍ମୁ ଓ କାଶ୍ମୀରର ଲୋକପ୍ରିୟ ପର୍ଯ୍ୟଟନ ସହର ପହଲଗାମ ନିକଟବର୍ତ୍ତୀ ବୈସରନ ଉପତ୍ୟକାରେ 22ଏପ୍ରିଲ ଅପରାହ୍ନ ପ୍ରାୟ ୨:୦୦ ଟା ରେ ଏହି ଘଟଣା ଘଟିଥିଲା। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହା ଏହି ଅଞ୍ଚଳର ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ ଥିଲା, ପୁଲୱାମା ଆକ୍ରମଣରେ ୪୦ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଯବାନଙ୍କ ଜୀବନ ଯାଇଥିଲା।
ଘଟଣା ପରେ, ୨୩ ଏପ୍ରିଲ୍ ଠାରୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ସ୍ଥଳରେ ମୁତୟନ ଜାତୀୟ ତଦନ୍ତ ସଂସ୍ଥା (ଏନଇଆ ) ଟିମ ତଦନ୍ତ ଜୋରଦାର କରିଛନ୍ତି। ଜଣେ ଆଇଜି, ଡିଆଇଜି ଏବଂ ଏସପିଙ୍କ ନେତୃତ୍ୱରେ ଏନଇଆ ଟିମଗୁଡ଼ିକ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛନ୍ତି।
ଏହା ସହିତ, ପହଲଗାମରେ ଆକ୍ରମଣ ପରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଅଭିଯାନ ଆରମ୍ଭ କରିଛି। ସନ୍ଧାନ ଅଭିଯାନ ତ୍ୱରାନ୍ୱିତ କରାଯାଇଛି। ଏହି ଘଟଣା ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି, ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଦେଶବ୍ୟାପୀ ବ୍ୟାପକ ପ୍ରତିବାଦ ପ୍ରକାଶ ପାଇଛି।
ଏପ୍ରିଲ 23 ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍) ବୈଠକ ବସିଥିଲା । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ବିଷୟରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଥିଲା। ସିସିଏସ୍ ଏହି ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରି ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଥିଲା ।
ସିସିଏସ୍ କୁ ଦିଆଯାଇଥିବା ସୂଚନା ଅନୁସାରେ, ଆତଙ୍କବାଦୀ ଆକ୍ରମଣରେ ସୀମାପାର ଲିଙ୍କ ଥିବା ଉପରେ ଆଲୋଚନା କରାଯାଇଥିଲା । ଜମ୍ମୁ ଓ କାଶ୍ମୀରରେ ନିର୍ବାଚନର ସଫଳ ଆୟୋଜନ ଏବଂ ଆର୍ଥିକ ଅଭିବୃଦ୍ଧି ତଥା ବିକାଶ ଦିଗରେ ଏହାର ସ୍ଥିର ପ୍ରଗତିକୁ ସହି ନପାରି ଆତଙ୍କବାଦୀ ଏହି ଆକ୍ରମଣ କରିଛନ୍ତି ।
ସୁରକ୍ଷା ବ୍ୟବସ୍ଥା ସ୍ୱରୂପ, ଭାରତ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗରୁ ଏହାର ପ୍ରତିରକ୍ଷା, ନୌସେନା ଏବଂ ବାୟୁ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସମ୍ପୃକ୍ତ ଉଚ୍ଚାୟୋଗରେ ଏହି ପଦବୀଗୁଡ଼ିକୁ ବାତିଲ କରାଯାଇଛି। ଉଭୟ ଉଚ୍ଚାୟୋଗରୁ ସେବା ପରାମର୍ଶଦାତାଙ୍କ ପାଞ୍ଚ ଜଣ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରତ୍ୟାହାର କରାଯିବ। ଉଚ୍ଚାୟୋଗର ସାମଗ୍ରିକ ସଂଖ୍ୟା 55 ରୁ 30 କୁ ହ୍ରାସ କରାଯିବ । ଏହା ମେ ପହିଲା ସୁଦ୍ଧା କାର୍ଯ୍ୟକାରୀ ହେବ।