atharv charutvedi
, କ୍ଲାସ ରୁମରୁ କୋର୍ଟ ରୁମ, ଶିକ୍ଷାର ଅଧିକାର ପାଇଁ ଏକ ଦୁଃସାଧ୍ୟ ସଂଗ୍ରାମର ଏ କାହାଣୀ ମଧ୍ୟପ୍ରଦେଶର ଜବୁଲପୁର ନିବାସୀ ୧୯ ବର୍ଷୀୟ ଯୁବକ ଅଥର୍ବ ଚତୁର୍ବେଦୀଙ୍କର । ଯିଏ ନିଜର ଯୌକ୍ତିକ ତର୍କ ଦ୍ବାରା ସୁପ୍ରିମକୋର୍ଟରେ ଅମଲାତନ୍ତ୍ରକୁ ପରାଜିତ କରିଛନ୍ତି । ଯାହାଙ୍କର ଯୁକ୍ତି ପରେ ଐତିହାସିକ ରାୟ ଲେଖିବାକୁ ବାଧ୍ୟ ହୋଇଛନ୍ତି ସ୍ବୟଂ ସୁପ୍ରିମକୋର୍ଟ ।
ଏଇ ଫେବୃଆରୀ ଏକ ଅପରାହ୍ନର କଥା, ଯେତେବେଳେ ସୁପ୍ରିମକୋର୍ଟ ଭିତରେ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଶୁଣାଣି ଣେଷ କରି ଆସନରୁ ଉଠିବାକୁ ଯାଉଥିଲେ, ଠିକ୍ ସେତିକି ବେଳେ ଏକ ଯୁବ ସ୍ୱର ଉପସ୍ଥିତ ଲୋକଙ୍କ ମଧ୍ୟରୁ ଭାସିଆସିଲା । ‘ଆଉ ମାତ୍ର ଦଶ ମିନିଟ୍ ଦିଅନ୍ତୁ ସାର୍’ । କେହି ଯେମିତି ଅନୁରୋଧ କରୁଥିଲେ। ସେହି ସ୍ୱର କୌଣସି ବରିଷ୍ଠ ଓକିଲଙ୍କର କି କୌଣସି ସାମ୍ବିଧାନିକ ବିଶେଷଜ୍ଞଙ୍କର ନଥିଲା, ବରଂ ଥିଲା ୧୯ ବର୍ଷୀୟ ଯୁବକଙ୍କର । ଏ ଯୁବକ ଥିଲେ ଜବଲପୁରର ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଅଥର୍ବ ଚତୁର୍ବେଦୀ । ଯିଏକି କେବଳ ଡାକ୍ତର ହେବାକୁ ଚାହୁଁଥିଲେ। ଆଉ ପରବର୍ତ୍ତି ୧୦ ମିନିଟ୍ରେ ସେ ଯାହା କହିଲେ, ତାହା ତାଙ୍କ ସପକ୍ଷରେ ଏକ ଇତିହାସ ରଚିଦେଲା । ଆଜିର କାହାଣୀ ସେ ସବୁ ଯୁବକଙ୍କ ପାଇଁ ପ୍ରେରଣାର ସ୍ରୋତ, ଯେଉଁମାନେ ସମସ୍ତ ଅସୁବିଧା, ଅବରୋଧ ସତ୍ତ୍ବେ ସଫଳତାର ଆକାଶରେ ଗୋଟିଏ ଗୋଟିଏ ସୂର୍ଯ୍ୟ ପାଲଟିବାକୁ ଚାହାନ୍ତି, ଯିଏକି ଭବିଷ୍ୟତର ପୃଥିବୀକୁ ଆଲୋକିତ କରିପାରିବେ ।
ସେଦିନ ଅଥର୍ବଙ୍କ ସେହି ୧୦ ମିନିଟ୍ର ପକ୍ଷ ଉପସ୍ଥାପନ ପରେ, ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଏହାର ଅସାଧାରଣ କ୍ଷମତାକୁ ବ୍ୟବହାର କରି, ସୁପ୍ରିମକୋର୍ଟ ଜାତୀୟ ମେଡିକାଲ କମିଶନ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର NEET-ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅସ୍ଥାୟୀ MBBS ପ୍ରବେଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଥର୍ବଙ୍କ ପାଇଁ, ଏହା କେବଳ ଏକ ଆଇନଗତ ବିଜୟ ନଥିଲା, ବରଂ ଏହା ନିରାଶାର ଅଙ୍ଗାରକାମ୍ଲରେ ଶ୍ବାସରୁଦ୍ଧ ହେବାକୁ ବସିଥିବା, ତାଙ୍କ ସ୍ୱପ୍ନ ପାଇଁ ଅକ୍ସିଜେନ୍ ସଦୃଶ ଥିଲା ।
“ସାମ୍ବିଧାନିକ ମାମଲା” ଶବ୍ଦ ଶୁଣି ଆପଣଙ୍କ ମନରେ ହୁଏତ ବିଚାର ଆସୁଥିବ ଯେ ଅଥର୍ବ ଜଣେ ଆଇନଜୀବୀ, ମାତ୍ର ବାସ୍ତବରେ ଅଥର୍ବ ଚତୁର୍ବେଦୀ ସେଭଳି ବ୍ୟକ୍ତି ନୁହନ୍ତି । ସେ ସାଧାରଣ ନବଯୁବକଟିଏ ଭଳି ’ତାରକ ମେହତା କା ଓଲଟା ଚଷମା’ ଦେଖନ୍ତି । ଜଣେ ମେଧାବୀ ଛାତ୍ର ଭାବେ ସେ ଉଭୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ମଧ୍ୟ ପାସ୍ କରିଥିଲେ। ଜୀବବିଜ୍ଞାନ ତାଙ୍କର ସବଜେକ୍ଟ ଥିଲା । କିନ୍ତୁ ଏମିତି କଣ ହେଲା ଯେ ଅଥର୍ବଙ୍କୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡିଲା….
ରୋଚକ କଥା ହେଲା, ଅଥର୍ବ ଚତୁର୍ବେଦୀ ଥରେ ନୁହେଁ, ବରଂ ଦୁଇଥର NEET ପାସ୍ କରିଥିଲେ। 530 ନମ୍ବର ପାଇଥିଲେ। ତଥାପି ଘରୋଇ କଲେଜଗୁଡ଼ିକରେ EWS କୋଟା ଅଧୀନରେ ତାଙ୍କୁ MBBS ସିଟ୍ ମିଳି ପାରି ନଥିଲା । ଦୁଇଥର NEET ପାସ୍ କରିଥିବା ଜଣେ ମେଧାବୀ ଛାତ୍ର ମେଡିକାଲ ସିଟ୍ ପାଇବାରୁ ବଞ୍ଚିତ ହେଉଥିଲେ, ଆଉ ଏହା ପଛରେ ଥିଲା ସିଷ୍ଟମ୍ର ଉଦାସୀନତା । ବାସ୍ତବରେ ରାଜ୍ୟ ସରକରା ସେଠାରେ EWS କୋଟା ଅଧୀନରେ ସିଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ କୌଣସି ନୀତି କାର୍ଯ୍ୟକାରୀ କରିନଥିଲେ।
ଧଳା ଆପ୍ରୋନ ପିନ୍ଧିବାକୁ, କଳା କୋଟରେ ଲିଢେଇ !
ବାରମ୍ବାର ନିରାଶ ହେବା ପରେ ସିଷ୍ଟମ ସମ୍ମୁଖରେ ହାର ମାନି ନ ଥିଲେ ଅଥର୍ବ ଚତୁର୍ବେବୀ। ବରଂ ହକ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେ ଓ ତାଙ୍କ ପିତା । ମାତ୍ର ଅଥର୍ବ ଯେତେବେଳେ ଜବଲପୁର ହାଇକୋର୍ଟରେ ନିଜ ପକ୍ଷରୁ ଯୁକ୍ତି ବାଢିବାଲେ, ସେତେବେଳେ ବିଚାରପତି ତାଙ୍କୁ ଅଧା ପ୍ରଶଂସା, ଅଧା ମଜାର ଛଳରେ କହିଥିଲେ ଯେ, “ତୁମେ ଡାକ୍ତର ନୁହେଁ ବରଂ ଜଣେ ଓକିଲ ହେବା ଉଚିତ। ତୁମେ ଭୁଲ ବୃତ୍ତିଗତରେ ଅଛ।” କିନ୍ତୁ ଅଥର୍ବ ବେଶ୍ ଜାଣିଥିଲେ ଯେ ସେ କେଉଁ କ୍ଷେତ୍ରରେ ଅଛନ୍ତି। ସେ ପେସାରେ ଲୟର ନ ଥିଲେ କିନ୍ତୁ ତାଙ୍କ ମନରେ ଫିୟର ବା ଭୟ ବି ନ ଥିଲା ।
ପ୍ରକୃତରେ ଅଥର୍ବଙ୍କ ପିତା ମନୋଜ ଚତୁର୍ବେଦୀ ଜଣେ ଓକିଲ। କିନ୍ତୁ ସେ କେବେ ସୁପ୍ରିମକୋର୍ଟରେ ଅଭ୍ୟାସ କରିନଥିଲେ। କୋଭିଡ୍ ଲକଡାଉନ୍ ସମୟରେ, ଯେତେବେଳେ କୋର୍ଟଗୁଡ଼ିକ ଭର୍ଚୁଆଲ୍ ହୋଇଗଲା, ପ୍ରଯୁକ୍ତିବିଦ୍ୟା ତାଙ୍କ ପରିବାରର ଅପ୍ରତ୍ୟାଶିତ ଶିକ୍ଷକ ପାଲଟିଥିଲା।
ମନୋଜ ଚତୁର୍ବେଦୀ କହିଛନ୍ତି ଯେ, ମୋ ପୁଅ କେବେ ଆଇନ ପଢ଼ିନଥିଲା, କିନ୍ତୁ ସେ ସବୁକିଛି ଦେଖିଥିଲେ। କେତେ କହିବାକୁ ହେବ, କେବେ ନୀରବ ରହିବାକୁ ହେବ। ପ୍ରକୃତରେ, ସେ ମୋତେ ଆବେଦନଗୁଡ଼ିକୁ ସ୍କାନ କରି ଅପଲୋଡ୍ କରିବା ଶିଖାଇଥିଲେ।
ଲକ୍ ଡାଉନରେ ବିଶ୍ବ ଯେତେବେଳେ ଜୁମ୍ ବୈଠକରେ ଯୋଗ ଦେବା ଶିଖୁଥିଲା, ଅଥର୍ବ ଅନଲାଇନରେ କ୍ରସ-ପରୀକ୍ଷା ଏବଂ କୋର୍ଟରୁମ୍ ଶୃଙ୍ଖଳାର ଅନୁପାଳନ କରୁଥିଲେ।
ସେ ସୁପ୍ରିମକୋର୍ଟ ୱେବସାଇଟ୍ ଯାଇଥିଲେ। ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଫର୍ମାଟ୍ ଡାଉନଲୋଡ୍ କରିଥିଲେ। ପୂର୍ବ ରାୟଗୁଡ଼ିକ ଅଧ୍ୟୟନ କରିଥିଲେ। ନିଜର SLP ପ୍ରସ୍ତୁତ କରିଥିଲେ। ରେଜିଷ୍ଟ୍ରି ଆପତ୍ତିଗୁଡ଼ିକୁ ସଂଶୋଧନ କରିବା ପରେ ଜାନୁଆରୀ 6 ରେ ଏହାକୁ ଅନଲାଇନରେ ଦାଖଲ କରିଥିଲେ। ଅଭିଜ୍ଞ ଓକିଲମାନେ ମଧ୍ୟ କେତେକ ସମୟରେ ସର୍ବୋଚ୍ଚ ନ୍ୟାୟାଳୟରେ SLP ଦାଖଲ କରିବା ପୂର୍ବରୁ ସଂକୋଚ କରନ୍ତି। କିନ୍ତୁ ଅଥର୍ବ ଦିଲ୍ଲୀରେ ଯାତ୍ରା ଏବଂ ରହିବା ଖର୍ଚ୍ଚ ବଞ୍ଚାଇବା ପାଇଁ ଜବଲପୁରରୁ ହିଁ SLP ଦାଖଲ କରିଥିଲେ।
ଅଥର୍ବଙ୍କ ଯୁକ୍ତିରେ ଅମଲାତନ୍ତ୍ର ପରାସ୍ତ !
ସୁପ୍ରିମକୋର୍ଟ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ଆବେଦନକାରୀ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର ଜଣେ ଯୁବକ, ଦୁଇଥର NEET ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ, କିନ୍ତୁ ନୀତିଗତ ବ୍ୟବଧାନ ଯୋଗୁଁ ପ୍ରବେଶ ପାଇପାରି ନଥିଲେ। କୋର୍ଟ କହିଥିଲେ ଯେ ରାଜ୍ୟ ସରକାର ଘରୋଇ କଲେଜଗୁଡ଼ିକରେ EWS ସଂରକ୍ଷଣକୁ ସୂଚିତ କରିବାରେ ବିଫଳ ହୋଇଥିବାରୁ, ଅଥର୍ବଙ୍କୁ ଆଡମିସନ ପାଇଁ ମନା କରାଯାଇପାରିବ ନାହିଁ। ଏଥିସହ କୋର୍ଟ କର୍ତ୍ତୃପକ୍ଷଙ୍କୁ ୨୦୨୫-୨୬ ଅଧିବେଶନ ପାଇଁ ଫି ପ୍ରଦାନ ସହିତ ଅସ୍ଥାୟୀ ପ୍ରବେଶ ମଞ୍ଜୁର କରିବାକୁ ନିର୍ଦ୍ଦେଶ ଦେଇଥିଲେ।