୧୮ ବର୍ଷରେ ୪୧ ଦିନର ଅଗ୍ନି ତପସ୍ୟା!
ନଅଟି ଜଳୁଥିବା ଅଗ୍ନି ମଧ୍ୟରେ ଧ୍ୟାନ!
କିଏ ଏହି ଯୁବ ସାଧ୍ୱୀ କଞ୍ଚନ ନାଥ?
ଧନୀ ପରିବାରର ଝିଅରୁ ସାଧ୍ୱୀ!
ଏଇ ବୋଧେ ଇଶ୍ବର ପ୍ରାପ୍ତିର ମାର୍ଗ । ଏଇ ବୋଧେ ମୋକ୍ଷ ପ୍ରାପ୍ତିର ଉପାୟ । ନା ୪୬ ଡିଗ୍ରୀର ଡହ ଡହ ଖରାର ଆଭାସ ଅଛି ନା ୬୫ ଡିଗ୍ରୀ ଉତ୍ତପ୍ତ ଅଗ୍ନି ଧାସର କଷ୍ଟ ଜଣାପଡୁଛି । ନା ଏଇ ପୃଥିବୀର ଘଟଣାବଳୀ ତାଙ୍କୁ ଜଣାପଡୁଛି ନା ସୂର୍ଯ୍ୟଙ୍କ ଯାତାୟତର ଆଭାସ ମିଳୁଛି । ସାଂସରକୁ ସମ୍ପୂର୍ଣ୍ଣ ଭୁଲି ଏ ପୂଣ୍ଣ୍ୟ ଭୂମିରେ ଈଶ୍ବର ସାଧନାର କଠୋର ତପରେ ବିଲୀନ ହୋଇଯାଇଛନ୍ତି ଏହି କିଶୋରୀ ସାଧ୍ବୀ ଜଣକ ।
ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଆପଣଙ୍କ ହୃଦୟକୁ ଦୁର୍ବଳ କରିପାରେ । କାରଣ ୬୫ ଡିଗ୍ରୀ ତାପମାତ୍ରାରେ ୪୧ ଦିନରଅଗ୍ନି ତପସ୍ୟା କରୁଛନ୍ତି ଏହି ସାଧ୍ବୀ ଜଣକ । ଇଏ ହେଉଛନ୍ତି, ୧୮ ବର୍ଷୀୟ ସାଧ୍ବୀ କଞ୍ଚନ ନାଥ । ଧ୍ୟାନମଗ୍ନ କଞ୍ଚନଙ୍କ ଚାରିପଟେ ହୁତୁହୁତୁ ଜଳୁଛି ଗୋବର ତିଆରି ଘଷି ଫରା । ସବୁଠୁ ସାଙ୍ଘାତିକ କଥା ହେଲା, ଏଇ ନିଆଁ ଜଳିବା ପରେ ୬୦ରୁ ୬୫ ଡିଗ୍ରୀ ପାର କରିଯାଏ ଏହି ତପସ୍ୟା ସ୍ଥଳର ତାପମାତ୍ରା । ଏତେ ଗରମ ଭିତରେ ବି ନିଶ୍ଚଳ ଭାବେ ଧ୍ୟାନମଗ୍ନ ଅଛନ୍ତି କଞ୍ଚନ । ତାଙ୍କ କାନରେ ମନ୍ତ୍ର କହି ତାଙ୍କୁ ପ୍ରକୃତିସ୍ଥ କରିବାକୁ ଉଦ୍ୟମ କରୁଛନ୍ତି ତାଙ୍କ ଗୁରୁ ।
ଲମ୍ବା ଜଟ, ଗେରୁଆ ବସ୍ତ୍ର, ମାଟି ସାଲୁବାଲୁ ଶରୀର । ଜଣେ ସିଦ୍ଧ ତପସ୍ମୀଙ୍କ ଭଳି ଏକାଗ୍ରଚିତ୍ତରେ ଧ୍ୟାନମଗ୍ନ । ମାତ୍ର ୧୮ ବର୍ଷ ବୟସରେ ତ୍ୟାଗ, ସଂଯମ, ଭକ୍ତି ଏବଂ କଠୋର ତପସ୍ୟା। ଏହାର କାରଣ ଆପଣ ହୁଏତ ଗରିବୀ ବୋଲି ଭାବୁଥିବେ । କିନ୍ତୁ କଞ୍ଚନ ହେଉଛନ୍ତି ବାସ୍ତବରେ ଏକ ଧନୀ ପରିବାରର ଅଲିଅଳି ଝିଅ । ଉତ୍ତର ପ୍ରଦେଶର ନୋଏଡାରେ କଞ୍ଚନଙ୍କ ଜନ୍ମ । ଗର୍ଭରେ ଥିବା ବେଳେ ପିତା ଏବଂ ଜନ୍ମ ପରେ ମା’ ଆଖି ବୁଜିଦେଇଥିଲେ । ଦୃଷ୍ଟିବାଧିତ ଆଈ କଞ୍ଚନଙ୍କ ଲାଳନପାଳନ କରିବାରେ ଅସମର୍ଥ ଥିଲେ । ପରିବାରର ଅନ୍ୟମାନେ ମଧ୍ୟ ମୁହଁ ମୋଡି ନେଇଥିଲେ । ମାତ୍ର ସାଢେ ୫ ବର୍ଷ ବୟସରେ କଞ୍ଚନଙ୍କୁ ଛାଡିଦିଆଯାଇଥିଲା ନରବାଣା ସ୍ଥିତ ଏକ ଆଶ୍ରମରେ । ଯେଉଁଠାରୁ ଆରମ୍ଭ ହୋଇଥିଲା କଞ୍ଚନଙ୍କର ସାଧ୍ବୀ ଜୀବନ ।
ନିଜ ଗ୍ରାମ ହରିୟାଣାର ଧାକଲଠାରେ ଥିବା କାଳୀମା‘ ମନ୍ଦିର ହେଉଛି ସାଧ୍ୱୀ କାଞ୍ଚନ ନାଥଙ୍କ ତପଭୂମି। ଯେଉଁଠାରେ ୧୨ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଏମିତି ଅଗ୍ନି ତପସ୍ୟା କରିବେ ସାଧ୍ବୀ କଞ୍ଚନ । ୨୦୨୫ ମେ ୧୪ରୁ ଆରମ୍ଭ ହୋଇଛି ତାଙ୍କର ଏଇ ଅଗ୍ନି ତପସ୍ୟାର ଧାରା । ଏହି ତପସ୍ୟାର ଉଦ୍ଦେଶ୍ୟ ମାନବ ସମାଜର କଲ୍ୟାଣ ବୋଲି କୁହନ୍ତି କଞ୍ଚନଙ୍କ ଗୁରୁ ଯୋଗୀ ରାଜନାଥ । ପ୍ରତିଦିନ ଦିନ ୧୨ଟାରୁ ୧:୧୫ ପର୍ଯ୍ୟନ୍ତ ଏଠାରେ ନଅଟି ଜଳୁଥିବା ଗୋବର ଶିଖା ମଧ୍ୟରେ ଧ୍ୟାନରେ ବସିଥାନ୍ତି ସାଧ୍ବୀ କଞ୍ଚନ। ତାଙ୍କ ଉପରେ ଢଲାଯାଏ ପାଉଁଶ ମିଶ୍ରିତ ପାଣି । ତାଙ୍କ ଜଟାକୁ ଅଗ୍ନିରୁ ସୁରକ୍ଷା ଦେବାକୁ ତାଙ୍କ ମୁଣ୍ଡ ଉପରେ ପକାଯାଏ ଓଦା କପଡା । ଆପଣ ଦେଖିପାରୁଥିବେ ଏତେ ଗରମ ଭିତରେ ମଧ୍ୟ ପ୍ରବଳ ଥଣ୍ଡାରେ ଥରୁଛନ୍ତି ସାଧ୍ବୀ କଞ୍ଚନ ନାଥ । ବୋଧ ହୁଏ ଏହା ହିଁ ଭକ୍ତିର ଶକ୍ତି ।