ଅନୁଭବଙ୍କୁ ମିଳିବ ବଡ଼ ପଦ! ପୂରଣ ହେବ ଅନୁଭବଙ୍କ ସ୍ବପ୍ନ! ଘରକୁ ଆସିବ ଇପ୍ସିତ ଖୁସି! ହଁ ଆଜ୍ଞା ଯେଉଁ ପଦ ପାଇବାକୁ ଅନୁଭବ ଆକୂଳ ହୋଇ ଚାହିଁ ରହିଛନ୍ତି, ଖୁବଶୀଘ୍ର ତାଙ୍କୁ ମିଳିଯିବ ସେଇ ପଦ। ଆପଣ ବୁଝିପାରିଲେ କି ଆମେ କେଉଁ ପଦ କଥା କହୁଛୁ? ହଁ ଆଜ୍ଞା, ଖୁସି ଖବର ଦେଲେ ଜାଗ୍ରତି! ଖୁବଶୀଘ୍ର ବାପା ହେବେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି!
ଭାଇରାଲ ହେଉଛି ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଜାଗ୍ରତି ଶୁକ୍ଳାଙ୍କର ଏହି ଭିଡିଓ। ଯେଉଁଥିରେ ଉଭୟଙ୍କୁ ଏକ ଡାକ୍ତରଖାନାରେ ଦେଖିବାକୁ ମିଳୁଛି। ଅନୁଭବଙ୍କ ହାତରେ କିଛି କାଗଜପତ୍ର ଯାହାକି ସମ୍ଭବତଃ ଡାକ୍ତରଙ୍କ ପ୍ରେସକ୍ରିପ୍ସନ୍ ଓ ଟେଷ୍ଟ ରିପୋର୍ଟ। ଆଉ ଏଇ ଭିଡିଓ ପଦାକୁ ଆସିବା ପରେ ଏବେ ଅନୁଭବ ଫ୍ୟାନ୍ କ୍ଲବର ଖୁସି କହିଲେ ନ ସାରେ। ଆରେ ଓଲିଉଡର ଭାଇଜାନ ବାପା ହେବେ ଯେ… ଖୁସି ହେବନି ଫ୍ୟାନ୍ସମାନେ।
ପ୍ରଥମ ବିବାହରେ ତିକ୍ତତା, ବିବାହ ବିଚ୍ଛେଦ ପାଇଁ ଲମ୍ବା ସଂଘର୍ଷ, ପ୍ରଥମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ୍ସଙ୍କ ଦ୍ବାରା ସାଙ୍ଘାତିକ ସମାଲୋଚନା। ଆଉ ଆଇନର ଲମ୍ବା ଲଢ଼େଇ। ଯାହାପରେ ଅନୁଭବଙ୍କ ଜୀବନରେ ଖୁସିର ସମ୍ଭାର ନେଇ ଆସିଥିଲେ ଜାଗ୍ରତି। ସାଂସଦଙ୍କୁ ବାହା ହୋଇ ସାଜିଥିଲେ ମିସେସ୍ ସାଂସଦ। ପରେ ପରେ ଲେଖିକାରୁ ସାଜିଥିଲେ ଅନୁଭବଙ୍କ ଫିଲ୍ମର ପ୍ରଡ୍ୟୁସର। ବିଗତ ବର୍ଷରେ ଅନେକ ଉତ୍ଥାନ-ପତନ ପରେ ଏବେ ଜୀବନର ସବୁଠୁ ବଡ଼ ଖୁସି ଦେଖିବାକୁ ଯାଉଛନ୍ତି ମିଷ୍ଟର ଆଣ୍ଡ ମିସେସ୍ ମହାନ୍ତି।
ନିକଟରେ ମୁକ୍ତିଲାଭ କରିଛି ଅନୁଭବଙ୍କ ଫିଲ୍ମ ଛକିଶୂନ। ଆଗାମୀ ଦିନରେ ଆସିବ ଆଉ ମେଗା ପ୍ରୋଜେକ୍ଟ ରାବଣ। ଜାଗ୍ରତି ଯେ କେବଳ ଅନୁଭବଙ୍କ ଜୀବନ ସାଥି ତାହା ନୁହେଁ, ତାଙ୍କ କର୍ମଜୀବନରେ ମଧ୍ୟ ଜାଗ୍ରତି ରଖନ୍ତି ଅନେକ ଗୁରୁତ୍ୱ।
ସାମ୍ବାଦିକତାକୁ ପଛରେ ଛାଡି ଦେଇଛନ୍ତି ହେଲେ ସାମ୍ବାଦିକତା ଭୁଲିନାହାନ୍ତି ଜାଗ୍ରତି। ନିଜର ଫେସବୁକ୍ ପେଜରେ ସେ ସମାଜର ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ରଖିଥାନ୍ତି। ନିକଟରେ ଜେନ୍ଜି ଆନ୍ଦୋଳନକୁ ନେଇ ତାଙ୍କ ଆଭିମୁଖ୍ୟ ସମ୍ବନ୍ଧୀୟ ଏକ ପୋଷ୍ଟ ଖୁବ ଭାଇରାଲ ହୋଇଥିଲା ଯାହାକୁ ନେଇ ଜାଗ୍ରତିଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳର ନେତା। ପରେ ନିଜର ପକ୍ଷ ସ୍ପଷ୍ଟ କରି ଆଉ ଏକ ପୋଷ୍ଟ କରିଥିଲେ ଜାଗ୍ରତି।
ସେ ଯାହା ବି ହେଉ କୁହାଯାଏ ଛୁଆଟିଏ ବାପା ମା’ଙ୍କ ଭାଗ୍ୟ ବଦଳାଇ ଦିଏ। ଅନୁଭବ ଓ ଜାଗ୍ରତିଙ୍କ ଲାଇଫରେ ସେ ସମୟ ଆସୁଛି।