ଆଗ୍ରାର ଏକ ପରିବାରର ଫ୍ରିଜ୍ରେ ବରଫ ଶିବଲିଙ୍ଗ ଭଳି ଆକୃତି ଦେଖାଯାଇଥିବା ଦାବିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭକ୍ତଙ୍କ ଭିଡ଼ ଜମିଛି। ସୋସିଆଲ ମିଡିଆରେ ଭାଇରାଲ ଏହି ଘଟଣାକୁ ନେଇ ଆସ୍ଥା ଓ ପ୍ରାକୃତିକ କାରଣ ଉପରେ ଚର୍ଚ୍ଚା ଚାଲିଛି।
ଆଗ୍ରାର ଏକ ଘରରେ ବରଫ ଶିବଲିଙ୍ଗକୁ ନେଇ ଚର୍ଚ୍ଚା
ଫ୍ରିଜ୍ରେ ବରଫ ଶିବଲିଙ୍ଗକୁ ନେଇ ଆସ୍ଥା ଓ ବିଜ୍ଞାନର ତର୍କ, ଭାଇରାଲ ହେଲା ଭିଡିଓ
ଅମରନାଥରୁ ଉଭାନ୍, ଫ୍ରିଜ୍ରେ ଉଭା! ଫ୍ରିଜ୍ରେ ସୃଷ୍ଟି ହୋଇଛି ଅମରନାଥର ବାବା ବର୍ଫାନୀଙ୍କ ଭଳି ବରଫ ଶିବଲିଙ୍ଗ! ଏହା ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଣେ ବ୍ୟକ୍ତିଙ୍କ ଘରର ଫ୍ରିଜ୍। ଏହି ଫ୍ରିଜ୍ରେ ପୂଜା ପାଉଛନ୍ତି ବାବା ବର୍ଫାନୀ!
ଏହି ମା’ମାନଙ୍କୁ ଦେଖନ୍ତୁ, ଏମାନଙ୍କ ଭକ୍ତିର କୌଣସି ପଟ୍ଟାନ୍ତର ନାହିଁ। ଯେଉଁଠାରେ ଈଶ୍ୱରଙ୍କ ଉପସ୍ଥିତିର ଅନୁଭବ ହୁଏ, ସେଠାରେ ଭକ୍ତଟିଏ ଢାଳିଦିଏ ତା’ର ନିଶ୍ଚଳ ଭକ୍ତିର ଧାର। ଏହି ମା’ମାନଙ୍କୁ ଦେଖିଲେ ଏମିତି ହିଁ କିଛି ଅନୁଭବ ହେଉଛି। ଘଣ୍ଟ, ଗିନି ବଜାଇ ଏମାନେ ଏହି ଫ୍ରିଜ୍ ପାଖରେ କାହିଁକି ଭଜନ ଗାଉଛନ୍ତି, ଟିକେ ଭିତରକୁ ନିରିଖି ଦେଖିଲେ ଆପଣମାନେ ବେଶ୍ ବୁଝିପାରିବେ।

ଏହି ଫ୍ରିଜ୍ ଭିତରେ ହିଁ ଏକୀଭୂତ ହୋଇଯାଇଛି ଏହି ମା’ମାନଙ୍କ ଆସ୍ଥା। ଯେଉଁ ଭଗବାନଙ୍କ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି, ସେହି ବାବା ବର୍ଫାନୀ, ଅର୍ଥାତ୍ ବରଫର ଶିବଲିଙ୍ଗ, ଆଜି ଏମାନଙ୍କ ଘରର ଏହି ଫ୍ରିଜ୍ରେ ଉଭା ହୋଇଛନ୍ତି।
ବାବା ବର୍ଫାନୀ ଫ୍ରିଜ୍ରେ ଉଭା ହେବା ଖବର ବିଜୁଳି ବେଗରେ ଆଖପାଖରେ ବ୍ୟାପିଗଲା। ଯାହାପରେ ଏହି ଛୋଟିଆ ବଖରାଟି ଏମାନଙ୍କ ପାଇଁ ପାଲଟିଗଲା ଆରାଧନାସ୍ଥଳୀ। କେହି ଜଣେ ମହିଳା ହଳଦିଆ ବସ୍ତ୍ର ଆଣି ବାବା ବର୍ଫାନୀଙ୍କୁ ପିନ୍ଧାଇ ଦେଇଥିଲେ। ପରେ ଫୁଲ, ଚନ୍ଦନ, ଦୁବ, ଧୂପ, ଦୀପ ଦେଇ ଆରାଧନା କରିଥିଲେ। ଚାହୁଁ ଚାହୁଁ ଜମିଯାଇଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ଢୋଲ ଓ ଗିନିର ତାଳେ ତାଳେ ଭଜନରେ କମ୍ପିଥିଲା ଖଣ୍ଡମଣ୍ଡଳ।
ଭାଇରାଲ ହେଉଛି ଫ୍ରିଜ୍ରେ ବାବା ବର୍ଫାନୀ ଉଭା ହେବାର ଏହି ଭିଡିଓ। ଯାହାକୁ ନେଇ ଦୁଇ ଭାଗ ହୋଇଯାଇଛି ସୋସିଆଲ ମିଡିଆ। କେହି କେହି କହୁଛନ୍ତି, ଏହା ବାବା ବର୍ଫାନୀଙ୍କ ଅପାର ଲୀଳା ମଧ୍ୟରୁ ଗୋଟିଏ, ତ ପୁଣି କିଏ କହୁଛନ୍ତି, ଏହା କେବଳ ଲୋକଙ୍କ ଅନ୍ଧବିଶ୍ୱାସ।
ଅନେକଙ୍କର ଯୁକ୍ତି, ଫ୍ରିଜ୍ରେ ଏମିତି ଅନେକ ଥର ଶିବଲିଙ୍ଗ ଭଳି ବରଫ ଜମା ହୋଇଥାଏ। କିନ୍ତୁ ଏଥର କାହିଁକି ଶିବଲିଙ୍ଗାକୃତି ଏହି ବରଫକୁ ଲୋକେ ବାବା ବର୍ଫାନୀ ବୋଲି ଭାବି ନେଇଥିଲେ? ନିକଟରେ ବାବା ବର୍ଫାନୀଙ୍କ ସମ୍ବନ୍ଧରେ ବଡ଼ ଖବର ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ହିନ୍ଦୁ ଆସ୍ଥା ଓ ବିଶ୍ୱାସର ପ୍ରାଣକେନ୍ଦ୍ର ପବିତ୍ର ଅମରନାଥ ଗୁମ୍ଫାରେ ବର୍ଷକୁ ବର୍ଷ ହ୍ରାସ ପାଉଛି ବରଫର ଶିବଲିଙ୍ଗର ଉଚ୍ଚତା। ଚଳିତଥର ମାତ୍ର ୫ ଦିନରେ ତରଳିଯାଇଛି ବରଫ ଶିବଲିଙ୍ଗ। ହିମାଳୟ ଉପତ୍ୟକାରେ ବର୍ଦ୍ଧିତ ତାପମାତ୍ରାକୁ ଏହାର କାରଣ ବୋଲି କୁହାଯାଉଛି।