ଜେନଜିଙ୍କ ସାଇଲେଣ୍ଟ ଚାପୁଡ଼ା! ୨+ ମିଲିୟନ ଅନଫଲୋ | ନିଜ ଜାଲରେ ଫଶିଲେ ରାଘବ ଚଢା?
ଜେନଜିଙ୍କ ସାଇଲେଣ୍ଟ ଚାପୁଡ଼ା !
୨ ମିଲିୟନରୁ ଅଧିକା କଲେ ଅନଫଲୋ
ନିଜ ଜାଲରେ ନିଜେ ଫଶିଯାଇଛନ୍ତି ରାଘବ ଚଢା । କାମ ନ କଲେ ଏମପି ଏମଏଲଏଙ୍କୁ ରିଜେକ୍ଟ କରିବାର ଆଇନ ଆଣିବାକୁ ଦିନେ ସଂସଦରେ ଏ କ୍ରାନ୍ତିକାରୀ ପ୍ରସ୍ତାବ ରଖିଥିଲେ ରାଘବ ଚଢା । ଆଜି ସେଇ ପ୍ରସ୍ତାବ ଅନୁସାରଣ କରିଛି ଜେନ୍ ଜି । ଖୋଦ ରାଘବଙ୍କ ବିରୋଧରେ ରାଘବଙ୍କ ପ୍ରସ୍ତାବକୁ ଏମାନେ କରିଛନ୍ତି ଅସ୍ତ୍ର । ନା ଲ’କୁ ଅପେକ୍ଷା, ନା ଇଲେକସନକୁ ପ୍ରତିକ୍ଷା । ବାସ୍ ଫୋନ ଉଠାଇଲେ, ଆଉ ଦେଲେ ସାଇଲେଣ୍ଟ ଜବାବ । ଯାହା ଭିତରେ ନିଜର ହିରୋ ଦେଖୁଥିଲେ, ଆଜି ତାକୁ ଜିରୋ କରିବାକୁ ବାହାରିଛନ୍ତି ଭାରତର ଜେନ୍ ଜି । ଆମ ଆଦମୀ ପାର୍ଟି ଛାଡି ରାଘବ ଚଢା ବିଜେପିରେ ସାମିଲ ହେବା ଘଟଣାକୁ ବଡ଼ ରାଜନୈତିକ ଧୋକା ଭାବେ ଗ୍ରହଣ କରିଛନ୍ତି ଦେଶର ଯୁବପିଢି ।
ନା ଆଓ୍ବାଜ ହେଲା, ନା କୌଣସି ହୋହଲ୍ଲା । ଗୋଟିଏ କ୍ଲିକରେ ନେତା ରିଜେକ୍ଟ ! ଚାଲାକି ପାଇଁ ନୀରବ ଚାପୁଡା ! ଜେନ୍ ଜି ଦେଖାଇଲେ ଅସଲ ପାଓ୍ବାର । ରାତାରାତି ମିଲିୟନ ମିଲିୟନ ଫଲୋଅର ଗାୟବ । ରାଘବଙ୍କ ଉପରେ ଲାଗିଲା ରିଜେକସନ୍ର ମୋହର ! ବିଜେପିରେ ରାଘବ ଚଢାଙ୍କ ବିଲୟର ଖବର ଆସିବା ପରେପରେ ଯେମିତି ସୋସିଆଲ ମିଡ଼ିଆରେ ମାଡ଼ି ଆସିଥିଲା ’ଅନ୍ଫଲୋ’ ଅଭିଯାନର ସାଇଲେଣ୍ଟ ଝଡ଼ । ରାତାରାତି ରାଘବଙ୍କ ଇନଷ୍ଟା ଆକାଉଣ୍ଟରୁ ଗାୟବ ହୋଇଗଲେ ୯ ଲକ୍ଷ ଫଲୋଅର । ୨୪ ଘଣ୍ଟା ଭିତରେ ଅନ୍ଫଲୋ କରିଥିଲେ ୧ ମିଲିୟନରୁ ଅଧିକ ଲୋକ । ଖାଲି ଏତିକି ନୁହେଁ, ରାତାରାତି ଡିଲିଟ ହୋଇଯାଇଥିଲା ଦେଢ ଶହ ପୁରୁଣା ପୋଷ୍ଟ ।
ଏପ୍ରିଲ ୪ରୁ ହିଁ ରାଘବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ବିଜେପି ବିରୋଧୀ ସବୁ ପୋଷ୍ଟ ଡିଲିଟ କରିଥିଲେ । ମାତ୍ର ବିଜେପିରେ ସାମିଲ ହେବାକୁ କାହିଁକି ତାଙ୍କୁ ଲାଗିଲା ଆହୁରି ୨୦ ଦିନ? ତା ପଛରେ ରହିଛି ପୁଣି ସେଇ ଆଇନର ଖେଳ । ରାଘବ ଏକାକୀ ବିଜେପିରେ ସାମିଲ ହୋଇଥିଲେ ଦଳବଦଳ ଆଇନ ଧାରା ୧୦ ଅନୁଯାୟୀ ଅଯୋଗ୍ୟ ଘୋଷିତ ହୋଇଥାଆନ୍ତେ । କିନ୍ତୁ ଏହି ଆଇନକୁ ଢାଲ କଲେ ରାଘବ । ରାଜ୍ୟସଭାରେ ଆପର ସାଂସଦଙ୍କ ମଧ୍ୟରୁ ଦୁଇ ତୃତୀୟାଂଶଙ୍କୁ ନିଜ ସାଥିରେ ନେଇ ସେ ବିଜେପିରେ ସାମିଲ ହୋଇଛନ୍ତି । ଯାହାକୁ କି ଆଇନ ଭାଷାରେ ଦଳବଦଳ ନୁହେଁ ବରଂ ଦଳରେ ବିଲୟ ବୋଲି କୁହାଯାଉଛି । ରାଘବଙ୍କ ଏହି ଚାଲାକିର ଜବାବ ଦେଇଛନ୍ତି ଦେଶର ଜେନ ଜି । ରାଘବଙ୍କ ଫଲୋଅର୍ସ ୧୪.୬ ମିଲିଅନ୍ ରୁ କମି ୧୩.୭ ମିଲିଅନ୍ ପହଞ୍ଚିଛି ଏବଂ ଏହି ଧାରା ଏବେବି ଜାରିରହିଛି।
କେବଳ ସଂସଦରେ ନୁହେଁ, ମୋବାଇଲରେ ମଧ୍ୟ ନିର୍ଣ୍ଣୟ ହେଉଛି ହାର ଓ ଜିତ୍ । ପୁର୍ବରୁ ଭୋଟ୍ ପାଇଁ ଲାଇନ୍ ଲାଗୁଥିଲା, ଏବେ ଗୋଟିଏ ସେକେଣ୍ଡରେ ଅନଫଲୋ । ଅନଫଲୋର ଏହି ସଂଖ୍ୟା କେବଳ ଏକ ନମ୍ବର୍ ନୁହେଁ, ବରଂ ନେତାମାନଙ୍କ ପାଇଁ ଗୋଟେ ସାଇଲେଣ୍ଟ ମେସେଜ୍ , ଯାହା ବିନା ଆଓ୍ବାଜରେ ମଧ୍ୟ ବହୁତ କିଛି କହିଦେଉଛି। ଏବେ ବଡ଼ ପ୍ରଶ୍ନ ହେଲା, ଏଇଠି ସରିବ ରାଘବଙ୍କ ପାଇଁ ଏ ନୀରବ ଆକ୍ରୋଶ ନ ଜାରି ରହିବ ଜେନଜିଙ୍କ ସାଇଲେଣ୍ଟ ଝଡ଼?