ହନୁମାନଙ୍କ ପତ୍ନୀର ରହସ୍ୟ ଖୋଲାସା! ଏଠି ଦେବୀ ସୁଭର୍ଚ୍ଚଲା ସହ ପୂଜା ପାଉଛନ୍ତି ପ୍ରଭୁ ହନୁମାନ
ହନୁମାନଙ୍କ ଜୀବନର ଗୁପ୍ତ ଅଧ୍ୟାୟ—ସତ୍ୟ କି ରହସ୍ୟ?
ଦେଶର ଏକମାତ୍ର ମନ୍ଦିର ଯେଉଁଠି ସପତ୍ନୀକ ପୂଜା ପାଆନ୍ତି ହନୁମାନ !
ଜାଣନ୍ତୁ, ହନୁମାନଙ୍କ ବ୍ରହ୍ମଚର୍ଯ୍ୟ କାହିଁକି ଅକ୍ଷୁର୍ଣ୍ଣ?
ଦିବ୍ୟ, ଭବ୍ୟ ଓ ଇଶ୍ବରୀୟ, କିନ୍ତୁ ରହସ୍ୟମୟ ଏବଂ ଅବିଶ୍ୱସନୀୟ ମଧ୍ୟ । ଏହି ମନ୍ଦିରରେ ରହିଛି ପ୍ରଭୁ ଶ୍ରୀ ହନୁମାନଙ୍କୁ ନେଇ ଏକ ବିଶେଷ ରହସ୍ୟ । ଦେବୀ ସୁଭର୍ଚଲାଙ୍କ ସହ ଏଠାରେ ପୂଜ ପାଉଛନ୍ତି ପ୍ରଭୁ ଶ୍ରୀ ହନୁମାନ । କିମ୍ବଦନ୍ତୀ ଅନୁସାରେ, ଦେବୀ ସୁଭର୍ଚଲା ହେଉଛନ୍ତି ଶ୍ରୀ ହନୁମାନଙ୍କ ପତ୍ନୀ । ଏହା ହେଉଛି ଦେଶର ଏକମାତ୍ର ଅନନ୍ୟ ମନ୍ଦିର ଯେଉଁଠାରେ ହନୁମାନଙ୍କୁ ତାଙ୍କ ପତ୍ନୀ ଦେବୀ ସୁଭର୍ଚଲାଙ୍କ ସହିତ ପୂଜା କରାଯାଏ। ମନ୍ଦିରଟି ତେଲେଙ୍ଗାନାର ଖମ୍ମମ୍ ଜିଲ୍ଲାର ଏଲାଣ୍ଡୁ ଗ୍ରାମରେ ଅବସ୍ଥିତ । ମନ୍ଦିରର ପୁରୋହିତଙ୍କ ଅନୁସାରେ, ଏହି ମନ୍ଦିର 2006 ମସିହାରେ ନିର୍ମାଣ ହୋଇଥିଲା । ସେବେଠାରୁ, ଭକ୍ତଙ୍କ ବିଶ୍ୱାସ ନିରନ୍ତର ବୃଦ୍ଧି ପାଉଛି। ଶ୍ରୀ ରାମଙ୍କ ପରମ ସେବାକ ଶ୍ରୀ ହନୁମାନ ଆଜୀବନ ବ୍ରହ୍ମଚର୍ଯ୍ୟଧାରୀ । କିନ୍ତୁ ଏହି ମନ୍ଦିର ହନୁମାନଙ୍କ ଜୀବନର ସେହି କାଳଖଣ୍ଡର କାହାଣୀ କୁହେ ଯାହାକି, ତାଙ୍କ ଶିକ୍ଷାଲାଭ ସମୟରେ ଘଟିଥିଲା । ଆସନ୍ତୁ ଜଣିବା କଣ ଏହି ବିଷୟବସ୍ତୁ ।
ବାଲ୍ମୀକି ରାମାୟଣ ଅନୁସାରେ,ହନୁମାନ ବ୍ରହ୍ମଚର୍ଯ୍ୟଙ୍କ ମଧ୍ୟରେ ସର୍ବୋଚ୍ଚ, ଅପାର ଶକ୍ତି ଏବଂ ଭକ୍ତିରେ ପରିପୂର୍ଣ୍ଣ । କିନ୍ତୁ ପରାଶର ସଂହିତା ଏବଂ ସ୍କନ୍ଦ ପୁରାଣରେ ଶ୍ରୀ ହନୁମାନଙ୍କ ବୈବାହିକ ସମ୍ପର୍କ ଉଲ୍ଲେଖ ରହିଛି । ଏଥିରେ ସୁଭର୍ଚଲା ଦେବୀଙ୍କୁ ସୂର୍ଯ୍ୟ ଦେବତାଙ୍କ କନ୍ୟା ଏବଂ ସୂର୍ଯ୍ୟଙ୍କ କିରଣର ଅବତାରରୂପ ଭାବରେ ବର୍ଣ୍ଣନା କରାଯାଇଛି। ହନୁମାନ ସୂର୍ଯ୍ୟଙ୍କଠାରୁ ବେଦ ଏବଂ ଦିବ୍ୟ ଶାସ୍ତ୍ର ଶିଖିବା ସମୟରେ ଏକ ଅନନ୍ୟ ପରିସ୍ଥିତିରେ ଦେବୀ ସୁଭର୍ଚଲାଙ୍କ ସହ ତାଙ୍କର ବିବାହ ହୋଇଥିଲା।
ହନୁମାନ ସୂର୍ଯ୍ୟ ଦେବଙ୍କ ନିକଟରୁ ନଅଟି ଦିବ୍ୟ ଜ୍ଞାନ ଶିଖିବାକୁ ଚାହୁଁଥିଲେ । କିନ୍ତୁ ସେଗୁଡିକ ମଧ୍ୟରୁ ଚାରୋଟି ଦିବ୍ୟ ଜ୍ଞାନ କେବଳ ବିବାହିତ ଶିଷ୍ୟମାନଙ୍କୁ ଶିକ୍ଷା ଦିଆଯାଇପାରିବ । ଏଣୁ ସୂର୍ଯ୍ୟଦେବଙ୍କ ପରାମର୍ଶରେ ସୁଭର୍ଚ୍ଚଲାଙ୍କ ସହ ହନୁମାନଙ୍କ ବିବାହ କରାଗଲା। ଏହି ବିବାହ ଥିଲା କେବଳ ପ୍ରତୀକାତ୍ମକ । ଏଣୁ ହନୁମାନଙ୍କର ବ୍ରହ୍ମଚର୍ଯ୍ୟ ପ୍ରତିଜ୍ଞା ଅକ୍ଷୁର୍ଣ୍ଣ ରହିଥିଲା । ବିଦ୍ୱାନ ଏବଂ ସନ୍ଥମାନେ ପ୍ରାୟତଃ ଏହି କାହାଣୀକୁ ରୂପକ ଭାବରେ ବ୍ୟାଖ୍ୟା କରନ୍ତି। ସୁଭର୍ଚଲାଙ୍କୁ ଆଧ୍ୟାତ୍ମିକ ଶକ୍ତି (ଶକ୍ତି)ର ପ୍ରତିମୂର୍ତ୍ତି ଭାବରେ ଦେଖାଯାଏ ଯାହା ହନୁମାନଙ୍କ ପ୍ରତିଜ୍ଞାକୁ ସମର୍ଥନ କରେ। ସେମାନଙ୍କର ମିଳନ ଜ୍ଞାନ (ସୂର୍ଯ୍ୟଙ୍କ ଜ୍ଞାନ) ଏବଂ କାର୍ଯ୍ୟ (ହନୁମାନଙ୍କ ଶକ୍ତି) ର ଏକୀକରଣକୁ ପ୍ରତୀକ କରେ। ବ୍ୟୁରୋ ରିପୋର୍ଟ ଓଡ଼ିଶା ଡେଜ୍