Mother’s Day Tragedy: Soumyaranjan’s Mother Breaks Down in Tears, Demands Justice
“ମୋ ପୁଅକୁ ଏମିତି ମାରିଦେଲେ…”
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ମା’ଙ୍କ ବିସ୍ଫୋରକ ପ୍ରଶ୍ନ !
“ଆଇନ ହାତକୁ ନେବାକୁ ହକ୍ ଦେଲା କିଏ?”
ଧନରେ, ତୁ ଫେରିଆ. ଫେରିଆ ତୋ ମା’ କୋଳକୁ. ଥରେ ଖାଲି ଡାକିଦେ ମା’ ବୋଲି. ତୋ ତୁଣ୍ଡରୁ ସେ ମା’ ଡାକ ଶୁଣିଲେ ମୁଁ ଠଉରାଇ ନେବି ତୋର ସେ ଦିନର ସେ ସତ କଣ, ଆଉ ମିଛ କଣ.
ଏ ଦୁନିଆ କହୁଛି ତୁ କାଳେ ଖରାପ କାମ କରୁଥିଲୁ, ତୁ, ନାରୀ ମର୍ଯ୍ୟାଦା ହାନୀ କରୁଥିଲୁ. ବାବାରେ, ମୋ ମମତା ଜାଣିଛି, ମୁଁ ତ ତତେ କେବେ ସେମିତିକା ଭୁଲ କରି ବା ଭଳି ମୁହଁବଢା କରି ନ ଥିଲି. ପ୍ରତି ପାଦେ ପାଦେ ଆକଟ କରି ତତେ ମଣିଷ କରିଥିଲି. ଏ ଦୁନିଆରେ କେତେ କିଏ ଏମିତି ବାତରା ଛତରା ହୋଇ ବୁଲୁଛନ୍ତି, ହେଲେ ମୁଁ ତ ତତେ ଏ ପ୍ରତିଯୋଗିତା ମୂଳକ ଜମାନାରେ ଜଣେ ସଫଳ ଯୁବକ କରିଥିଲି. ତୁ ଆରପିଏଫର କନେଷ୍ଟବଳ ହେଲୁ. ପରିବାରଠୁ ବନ୍ଧୁବାନ୍ଧବ, ଆମ ଗାଁ ଲୋକେ କେତେ ଖୁସି. ତୋ ଚାକିରିରେ ଅସମୟ ଆସିଲା, ତୁ ନିଲମ୍ବିତ ହେଲୁ, ତଥାପି ହାରି ନ ଥିଲୁ. ଜିମ୍ ଖୋଲି ଘର ଚଳାଉଥିଲୁ. ଗାଁର ପରିବେଶରୁ ବାହାରି ତୁ ତୋ ନିଜ ପରିଚୟ ସୃଷ୍ଟି କରିଥିଲୁ. ସବୁ କିଛି ଭଲରେ ଚାଲିଥିଲା. ହେଲେ ସେ କାଳ ଦିନଟା କେମିତି ଆସିଲାରେ. କ’ଣ ଘଟିଥିଲା ସେଦିନ. ମୋ କାନ କାହରିକୁ ପରତେ ଯାଉନି… ମୋ ମମତା ଜମାରୁ ମାନୁନି ତୁ ଏମିତି କିଛି କାମ କରିଥିବୁ. ମୁଁ ପରା ମା’, ମୁଁ କଣ ଚିହ୍ନେନି ମୋ ପୁଅକୁ.
ପିଲା ଦିନେ କେତେ ଅଳି ଅଝଟି ସହିଛି. ହେଲେ ତୋତେ ଆଘାତ ହେଲେ ମୋ ଆତ୍ମାକୁ କଷ୍ଟ ହୁଏ. ତୋତେ ମାରିମାରି ଜୀବନରୁ ମାରି ଦେଲେ. ଏସବୁ ଶୁଣି ମୁଁ ଆଉ ଧୈର୍ଯ୍ୟ ଧରି ପାରୁନିରେ. କେତେ ଯେ ଡାକିଥିବୁ ତୁ . କେତେ ଯେ ଚିତ୍କାର କରିଥିବୁ ତୁ. ସେଦିନ ସିନା ଶୁଣିପାରି ନ ଥିଲି. ହେଲେ ଆଜି ତୋ ଉପରେ ବସିଥିବା ପ୍ରତ୍ୟେକ ପାହାର, ପ୍ରତ୍ୟେକ ଗୋଇଠା ବିଧାର ଯନ୍ତ୍ରଣା ମୋତେ ତିଳ ତିଳ କରି ମାରୁଛି.
ଆଜି ଲୋକେ ମୋ ସଂସ୍କାର ଓ ଲାଳନପାଳନ ଉପରେ ପ୍ରଶ୍ନ ଉଠାଉଛନ୍ତି. କହୁଛନ୍ତି ତୁ କାଳେ…. ଥାଉ ଆଉ କହିପାରୁନି. ସେ ଝିଅ, ତା ଗାଁ ଲୋକଙ୍କ କଥାତ ବୁଝିପାରୁଛି, ହେଲେ ତୋ ସାଙ୍ଗ. କିଭଳିଆ ସାଙ୍ଗ କରିଥିଲୁ. ନିଜ ଜୀବନ ଭୟରେ ତୋତେ ଏକା ଛାଡ଼ି ଦେଲା…
ହଉ ହେଲା, ମୋ ସଂସ୍କାର ଦେବାରେ କୋଉଠି କମି ରହିଗଲା! ତୁ କିଛି ଭୁଲ୍ କାମ କରୁଥିଲୁ, ହେଲେ ଭୁଲ୍ କରିବାରୁ ତେତୋ ଅଟକାଇବାକୁ ଏ ସମାଜର କିଛି ପୁରୁଖା, କିଛି ସଚେତନ ଲୋକ ତ ସେଠି ପହଞ୍ଚି ଯାଇଥିଲେ ନା. କିନ୍ତୁ ସେମାନେ ଯାହାକଲେ ତାହା ଏ ସମାଜକୁ କି ବାର୍ତ୍ତା ଦେଉଛି. ଏମାନେ ଯଦି ଆଇନ ହାତରୁ ମୁକୁଳି ଯାଆନ୍ତି, ତା ହେଲେ କାଲି ଲୋକେ କାହାରିକୁ ନା କାହାରିକୁ ଏମିତି ପିଟିପିଟି ମାରିଦେବେ. କାରଣ ଥିବ ଭିନ୍ନ ଆଉ ସେମାନେ ଏମିତି ନାରୀ ସୁରକ୍ଷାର ଦ୍ବାହି ଦେଇ ଖସିଯିବେ.
ମୁଁ ପଚାରୁଛି, ଦୁର୍ଦ୍ଦାନ୍ତ ଅପରାଧୀ ଏମିତିକି ଶହଶହ ନରହତ୍ୟା କରିଥିବା ମାଓବାଦୀଙ୍କୁ ବି ସୁଧୁରିବାକୁ ସମ୍ବିଧାନ ସୁଯୋଗ ଦେଇଛି. କ୍ଷମତା ହାତରେ ଥାଇ ବି ପୋଲିସଟିଏ ଯଦି ଅପରାଧୀକୁ ଏନକାଉଣ୍ଟର କରୁଛି, ତାଙ୍କୁ ବି ଦଣ୍ଡ ମିଳୁଛି. ଏଇ ଦେଖୁନୁ କିଛି ଦିନ ପୂର୍ବେ କେମିତି ୯ ଜଣ ପୋଲିସ କର୍ମୀଙ୍କୁ ଅଦାଲତ ଦଣ୍ଡିତ କରିଥିଲେ. ତା ହେଲେ, ଏ ତଥାକଥିତ ସମାଜକୁ କିଏ ହକ୍ ଦେଲା ଆଇନ ହାତକୁ ନେବାକୁ. ତୋ ହାତଗୋଡ ବାନ୍ଧିବା ପରେ ତୁ ଏମିତି କି ଅପରାଧ କରୁଥିଲୁରେ ବାପା, ଯେ ସେମାନେ ପାଲଟିଗଲେ ଗୋଟେ ଗୋଟେ ନରପିଶାଚ. ଆଉ ସେଦିନ ନୀରବରେ ତୋ ଉପରେ ଜନତାଙ୍କ ଥାର୍ଡ ଡିଗ୍ରୀ ଅତ୍ୟାଚାରକୁ ଦେଖି କୌଣସି ସିନେମା ଭଳି ମଜା ଉଠାଉଥିବା ପୋଲିସର କଥା ବା କହିବି କଣ. ବାଡ଼ ଯଦି କ୍ଷେତ ଖାଏ ତାଠୁ ବଡ଼ ବିଡମ୍ବନା ବା ଆଉ କଣ ଅଛି.
ତୁ ଭୁଲ କଲୁ, ତୋତେ ପିଟିପିଟି ଦରମରା କରିଦେଲେ, ପୋଲିସ ଜିମା ଦେଲେ, ହେଲେ ବାଲିଅନ୍ତା କଣ ଏମିତି ଅପନ୍ତରା ରାଇଜକିରେ. ତୋତେ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସଟିଏ ବି ଆସିପାରିଲା ନାହିଁ. ମୋର ମନେ ପଡୁଛି, ଜଣେ ନାବାଳିକାର ବଳାତ୍କାରୀ ଧନଞ୍ଜୟ ଚାଟାର୍ଜୀର ମୃତଦେହକୁ ବି ଶବବୁହା ଗାଡ଼ି ମିଳିଥିଲା । କିନ୍ତୁ ତୋ ଜୀନନ୍ତ ଶରୀରଟାକୁ ଆମ୍ବୁଲାନ୍ସଟିଏ ମିଳିଲା ନାହିଁ ।
ମଲା ହଡ଼ାଗୋରୁ ଭଳି ତୋତେ ବାଡିରେ ବାନ୍ଧି ଟେକିନେଲେ ସେ କ୍ୟାଣ୍ଟର ଉପରକୁ. ସେ ପର୍ଯ୍ୟନ୍ତ ତୋ ହାତପାଦ ହଲୁଥିଲା. ସେ ପର୍ଯ୍ୟନ୍ତର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି. କିନ୍ତୁ ତା’ପରେ କ୍ୟାଣ୍ଟରରେ କ’ଣ ହେଲା କିରେ. ତୋତେ ମାଡ ମାରି ଦରମରା କରିଥିବା ପ୍ରତ୍ୟେକ ଲୋକଙ୍କ ଚେହେରା ତୋ ଆଖିରେ ବସିଯାଇଥିବ. ସେ ଲମ୍ବା ଲମ୍ବା ବାଉଁଶ ବାଡିରେ ତୋତେ ନିସ୍ତୁକ ମାଡ଼ ମାରୁଥିବା ସେ ଭେଣ୍ଡାଭେଣ୍ଡା ଟୋକା, ସେ ପୋଲିସ ସମସ୍ତଙ୍କ ଛବି, ତୋ ବନ୍ଦ ଆଖିରେ ସବୁ ଦିନ ପାଇଁ ସତ ସବୁ ଲୁଚିଗଲାରେ. ମୋତେ ଆଉ ତୋତେ ନ୍ୟାୟ ଦେବ କିଏ.
ଦେଖ ଆଜି ବିଶ୍ବ ମାତୃ ଦିବସ. ନିଜ ମା’ର କାନ୍ଧରେ ଓହଳି ସେମାନେ ବି କେତେ ଗେହ୍ଲା ହେଉଥିବେ. ଯିଏ ଜେଲରେ ଅଛନ୍ତି ସେମାନଙ୍କୁ ବି ତାଙ୍କ ମା’ମାନେ ଭେଟିବାକୁ ଯାଇଥିବେ. ସେ ଝିଅର ମା’ ବି ତାକୁ କୋଳେଇ ନେଉଥିବେ. କିନ୍ତୁ କହ ମୁଁ କାହିଁକି ପାଲଟିଲି ଗାନ୍ଧାରୀ. ମୋ କୋଳ କାହିଁକି ଶୂନ୍ୟ. ଅପମାନଜନକ ଶବ୍ଦ ବ୍ୟବହାର କରି ଦ୍ରୌପଦୀ କାହିଁକି ନୀରିହ. ଦୋଷ କ’ଣ ଖାଲି ତୋର ଥିଲା କିରେ. କେମିତି ଜାଣିବି ମୁଁ ତୋ ସହ କଣ ସବୁ ଘଟିଗଲା.
ମୁଁ ତ ପିଲାଛେଉଣ୍ଡ, ମୋ କୋଳ ଆଜି ଖାଲି. ହେଲେ ଆଜିର ଦିନରେ ମୋର ଏ ପ୍ରଶ୍ନ ସବୁ ଗଣ୍ଠି କରିନେଉ ଏ ସରକାର, ଏ ସମାଜ. ହୁଏତ କାଲିକୁ କେହି ସୌମ୍ୟରଞ୍ଜନ ଦ୍ରୌପଦୀର ଅହଂକାର, ଅପମାନଜନକ ଶବ୍ଦର ମୁକାବିଲା କରି ଅପବାଦ ମୁଣ୍ଡାଇ ଏମିତି ବଦନାମ ମୃତ୍ୟୁ ପାଇବ ନାହିଁ .