Will Sujata Karthikeyan Join Vijay Government in Tamil Nadu
ନା ଶାସନ ତନ୍ତ୍ରରେ ତ୍ରାହି ମିଳିଳା, ନା ରାଜନୀତିରେ ସ୍ଥାନ । ନା ବିରୋଧୀ ବସିବାକୁ ଦେଲେ, ନା ଆପଣାର ବୋଲି କହୁଥିବା ଦଳ ନିଜ ସାଥିରେ ରଖିଲା । ଏବେ ଶାଶୁ ଘର ଚାଲିଯିବେ ସୁଜାତା କାର୍ତ୍ତିକେୟନ ! ଓଡ଼ିଶାକୁ ଛାଡିଦେବେ ପଛରେ ! ଭୁଲି ଯିବେ ବାପ ଘର! ଏତେ ଦିନ ଏଠାରେ ରହି ମାତୃଭୂମିର ସେବା କଲେ! ଏବେ ଶାଶୁଘରର ଦାୟିତ୍ବ ନିଭାଇବା ବେଳେ ।
ତାମିଲନାଡୁରେ ଆସିଛି ପରିବର୍ତ୍ତନର ସୁଅ । ଥାଲାପତି ବିଜୟଙ୍କ ସରକାରରେ ଯୁବଶକ୍ତିକୁ ମିଳୁଛି ଗୁରୁତ୍ବ । ନିଜ ରାଜ୍ୟରେ ବିକାଶର ଭିନ୍ନ ଏକ ଛବି ପ୍ରସ୍ତୁତ କରିବାକୁ ନିଜ ସେନାକୁ ସଶକ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ । ଏହି କ୍ରମରେ ବିଜୟଙ୍କ ସ୍କାର୍ଡରେ ଯୋଗ ଦେଇପାରନ୍ତି ସୁଜାତା କାର୍ତ୍ତିକେୟନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନ । ଓଡ଼ିଶା ବାସୀ ବୁଝିଲେ ନାହିଁ ଏବେ ୫ଟିର ଚମକରେ ଝଲସିବ ତାମିଲନାଡୁ ।
ଓଡ଼ିଶାରେ ବିକାଶର ବିପ୍ଲବ ଆଣିଥିଲେ ପାଣ୍ଡିଆନ ଦମ୍ପତି । ୫ଟି ଯୋଜନା ଅଧୀନରେ ରାଜ୍ୟରେ ଚାଲିଥିଲା ବିକାଶ କାମ । ଦିନ ରାତି ଏକାକାର କରିଦେଉଥିଲେ ପାଣ୍ଡିଆନ । ଶ୍ରୀକ୍ଷେତ୍ର ପୁରୀରୁ ସୁଦୂର ସମ୍ବଲପୁରରେ ସମଲେଇ ମନ୍ଦିର । ବ୍ରହ୍ମପୁରରେ ତାରାତାରିଣୀଠାରୁ ରାଉରକେଲାରେ ହକିଷ୍ଟାଡିୟମ । ସବୁଠି ଝଟକୁ ଥିଲା ବିକାଶର ଚିତ୍ର । ସୁଜାତା ବି କିଛି କମ୍ କରି ନ ଥିଲେ ।
ସୁଜାତା କାର୍ତ୍ତିକେୟନ ୨୦୦୦ ବ୍ୟାଚର ଆଇଏଏସ୍ ଅଧିକାରୀ । ମାଓବାଦୀ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିଅର । ୨୦୦୫ ମସିହାରେ ହାଇସ୍କୁଲ ଝିଅମାନଙ୍କ ପାଇଁ ଏକ ସାଇକେଲ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ ସେ ।
ତାଙ୍କ ଉଦ୍ୟମରେ ୨୦୦୬ ମସିହାରେ, ସୁନ୍ଦରଗଡ଼ରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଅଣ୍ଡାକୁ ସାମିଲ କରାଯାଇଥିଲା । ମାଓବାଦୀ ପ୍ରବଣ ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ସେ ଫୁଟବଲ୍ ଏବଂ ହକି ଭଳି ଖେଳକୁ ପ୍ରୋତ୍ସାହିତ କରିଥିଲେ । ତାଙ୍କ ମାର୍ଗଦର୍ଶନରେ, ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ୭୦ ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରିବାରେ ସଫଳ ହୋଇଥିଲା। କଟକ ଜିଲ୍ଲାର ପ୍ରଥମ ମହିଳା କଲେକ୍ଟର ଭାବରେ, ସୁଜାତା କାର୍ତ୍ତିକେୟନ ଗର୍ଭବତୀ ମହିଳାମାନଙ୍କ ପାଇଁ ଆରମ୍ଭ କରିଥିଲେ ‘ମମତା’ ଯୋଜନା । ସଂସ୍କୃତି ସଚିବ ଭାବରେ ତାଙ୍କର ସଂକ୍ଷିପ୍ତ କାର୍ଯ୍ୟକାଳରେ, ଆୟୋଜିତ ହୋଇଥିଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ।
ସେ ଅବସର ନେବା ପୂର୍ବରୁ, ଥିଲେ ଓଡ଼ିଶାର ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ । କିନ୍ତୁ କ୍ଷମତାର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ମିଶନ ଶକ୍ତିର କମିଶନର-କମ୍-ସଚିବ ପଦରୁ ଅନ୍ୟତ୍ର ବଦଳି କରାଯାଇଥିଲା । ବିଜେଡିର ପରାଜୟ ପରେ, ଛଅ ମାସ ପାଇଁ ଛୁଟିରେ ଚାଲିଯାଇଥିଲେ ସୁଜାତା କାର୍ତ୍ତିକେୟନ । ଛୁଟିରୁ ଫେରିବାର କିଛି ଦିନ ପରେ ସେ ନେଇଥିଲେ ସ୍ବେଚ୍ଛାକୃତ ଅବସର ।
କିଛି ଦିନ ପୂର୍ବେ ଶୁଣାଯାଉଥିଲା ସେ ବିଜେଡିରେ ମିଶିବେ, ନିର୍ବାଚନ ଲଢିବେ । କିନ୍ତୁ ଏବେ ଆଉ ସେ ସୋର ଶବ୍ଦ ନାହିଁ । ବରଂ ବିଜେଡିରେ ସାମିଲ ହେବା ନେଇ ପାଣ୍ଡିଆନଙ୍କ ଭଳି ସୁଜାତା କାର୍ତ୍ତିକେୟନଙ୍କୁ ମଧ୍ୟ ବିରୋଧ କରୁଛନ୍ତି ଦଳୀୟ ନେତା । ଏମିତିରେ ତାମିଲନାଡୁ ଏବେ ଉତ୍ତମ ବିକଳ୍ପ ।